ଇଂଲଣ୍ଡକୁ ହରାଇ ଫାଇନାଲ୍ରେ ଭାରତ
ରାଜ୍ୟଗୋଷ୍ଠୀ କ୍ରୀଡ଼ା, ନବମ ଦିବସ
ବର୍ମିଂହାମ୍, ୬ା୮ (ଏଜେନ୍ସି): ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଛି । ଭାରତ ଶନିବାର ଖେଳାଯାଇଥିବା ସେମିଫାଇନାଲ୍ରେ ଇଂଲଣ୍ଡକୁ ୪ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି । ଟିମ୍ର ବିଜୟରେ ସ୍ମୃତି ମାନ୍ଧାନା ଓ ସ୍ନେହ ରାଣା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ମହିଳା କ୍ରିକେଟ୍କୁ ସାମିଲ୍ କରାଯାଇଛି ଏବଂ ଭାରତ ପ୍ରଥମ ପ୍ରୟାସରେହିଁ ମୁକୁଟ ପର୍ଯ୍ୟାୟରେ ସ୍ଥାନ ପାଇଛି ।
ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ସ୍ମୃତି ୩୨ ବଲ୍ରୁ ୬୧ ରନ୍ର ଇନିଂସ୍ ଖେଳିଥିଲେ । ଏହାଛଡ଼ା ଜେମିମା ରୋଡ୍ରିଗୁଏଜ୍ ୩୧ ବଲ୍ରୁ ଅପରାଜିତ ୪୪ ରନ୍ କରିଥିଲେ । ଜବାବରେ ଇଂଲଣ୍ଡ ଟିମ୍ ୬ ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଅଧିନାୟିକା ନାଟ୍ ଶିଭର ସର୍ବାଧିକ ୪୧ ରନ୍ କରିଥିଲା । ଭାରତ ପକ୍ଷରୁ ସ୍ନେହ ରାଣା ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଦୀପ୍ତି ଶର୍ମାଙ୍କୁ ମଧ୍ୟ ଗୋଟିଏ ୱିକେଟ୍ ମିଳିଥିଲା ।
ପ୍ପ ୧୭ ଓଭର୍ ଯାଏଁ ଇଂଲଣ୍ଡ ଥିଲା ବିଜୟର ଦାବିଦାର
ଇଂଲଣ୍ଡ ଟିମ୍ ୧୭ ଓଭର୍ରେ ୩ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଆୟୋଜକ ଟିମ୍କୁ ଶେଷ ତିନି ଓଭର୍ରେ ୩୦ ଓଭର୍ ଆବଶ୍ୟକ ଥିଲା ଏବଂ ଦୁଇ ସେଟ୍ ବ୍ୟାଟର୍ ଅଧିନାୟକ ଶିଭର ଓ ଏମୀ ଜୋନ୍ସ କ୍ରିଜ୍ରେ ଥିଲେ । କିନ୍ତୁ ଏଠାରୁ ଭାରତୀୟ ବୋଲର୍ ମୋଡ଼ ବଦଳାଇ ଦେଇଥିଲେ । ସ୍ନେହ ୧୮ତମ ଓଭର୍ରେ ମାତ୍ର ୩ ରନ୍ ଦେଇଥିଲେ ଏବଂ ଜୋନ୍ସଙ୍କ ୱିକେଟ୍ ବି ନେଇଥିଲେ । ଶେଷ ଦୁଇ ଓଭର୍ରେ ଇଂଲଣ୍ଡକୁ ୨୭ ରନ୍ ଆବଶ୍ୟକ ପଡ଼ିଲା । ପୂଜା ବସ୍ତ୍ରାକାର ୧୯ତମ ଓଭର୍ରେ ୧୩ ରନ୍ ଦେଇଥିଲେ । ଏହାପରେ ଶେଷ ଓଭର୍ରେ ଆୟୋଜକ ଟିମ୍କୁ ବିଜୟ ପାଇଁ ୧୪ ରନ୍ ଦରକାର ଥିଲା, ହେଲେ ୯ ରନ୍ହିଁ ହୋଇପାରିଥିଲା ।
ପ୍ପ ଭାରତର ଦମ୍ଦାର ଓପନିଂ
ସ୍ମୃତି ଓ ଶେଫାଲୀ ବର୍ମା ଦ୍ରୁତ ଗତିରେ ଭାରତୀୟ ଇନିଂସ୍ ଆରମ୍ଭ କରିଥିଲେ । ଓପନିଂ ୱିକେଟ୍ରେ ୭.୫ ଓଭର୍ରେ ୭୬ ରନ୍ ଯୋଗ ହୋଇଥିଲା । ଫ୍ରେୟା କେମ୍ପ୍, ଶେଫାଲୀ (୧୫)ଙ୍କ ୱିକେଟ୍ ନେଇଥିବା ବେଳେ ସ୍ମୃତି (୬୧)ଙ୍କୁ ଶିଭର ଆଉଟ୍ କରିଥିଲେ । ସ୍ମୃତିଙ୍କ ଇନିଂସ୍ରେ ୮ ଚୌକା ଓ ୩ ଛକା ରହିଥିଲା । ଏହାପରେ ଭାରତୀୟ ଇନିଂସ୍ ଟିକେ ଧୀମା ହୋଇଯାଇଥିଲା ।
୧୩ ଓଭର୍ରେ ଭାରତର ସ୍କୋର୍ ୧୦୦ ଛୁଇଁଥିଲା । ଅଧିନାୟକ ହରମନପ୍ରୀତ କୌର ୨୦ ବଲ୍ରୁ ୨୦ ରନ୍ କରି ଆଉଟ୍ ହୋଇଥିଲେ । ଜେମିମା (ଅପରାଜିତ ୪୪) ଆରମ୍ଭରୁ ଧୀମା ଖେଳିଥିଲେହେଁ ପରେ ରନ୍ରେଟ୍ ବଢ଼ାଇଥିଲେ । ଦୀପ୍ତି ଶର୍ମା ୨୦ ବଲ୍ରୁ ୨୨ ରନ୍ କରିଥିଲେ ।