ରବିଙ୍କୁ ସ୍ୱର୍ଣ୍ଣ, ପୂଜା ଓ ଜସ୍ମିନଙ୍କୁ କାଂସ୍ୟ

ପୁଣି କୁସ୍ତିରେ କମାଲ୍
ବର୍ମିଂହାମ୍, ୬ା୮ (ଏଜେନ୍ସି): ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ନବମ ଦିନ ଭାରତୀୟ କୁସ୍ତିଯୋଦ୍ଧା ରବି ଦାହିୟା ପୁରୁଷ ଫ୍ରିଷ୍ଟାଇଲ ୫୭କିଗ୍ରା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୂଜା ଗହଲୋତ୍ ମହିଳା ଫ୍ରିଷ୍ଟାଇଲ୍ ୫୦କିଗ୍ରାରେ କାଂସ୍ୟ ପଦକ ଜିତିଛନ୍ତି । ଦେଶର ଅନ୍ୟତମ କୁସ୍ତିଯୋଦ୍ଧା ନବୀନ କୁମାର ମଧ୍ୟ ନିଜ ବର୍ଗରେ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ମହିଳା ବର୍ଗରେ ଭିନେଶ ଫୋଗଟ ମଧ୍ୟ ସ୍ୱର୍ଣ୍ଣ ଦୌଡ଼ରେ ଅଛନ୍ତି । ବକ୍ସିଂରେ ଜସ୍ମିନ ଦେଶକୁ ପ୍ରଥମ ପଦକ ଜିତାଇଛନ୍ତି । ଅନ୍ୟପଟେ, ନିଖତ ଜରୀନ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ରବି ଦାହିୟା ଫାଇନାଲ୍ରେ ନାଇଜେରିଆର ୱେଲ୍ସନ୍ ଏବିକେୱେନିମୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । କୁସ୍ତିରେ ଏହା ଭାରତର ଚତୁର୍ଥ ପଦକ ଥିଲା । ଶୁକ୍ରବାର ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ସାକ୍ଷୀ ମଲିକ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ ।
ରବି ଏଥି ପୂର୍ବରୁ ସେମିଫାଇନାଲ୍ରେ ପାକିସ୍ତାନର ଅସଦ ଅଲୀଙ୍କୁ ୧୪-୪ରେ ହରାଇଥିବା ବେଳେ କ୍ୱାର୍ଟର୍-ଫାଇନାଲ୍ରେ ନୁ୍ୟଜିଲାଣ୍ଡର ସୂରଜଙ୍କୁ ୧୦-୦ରେ ମାତ୍ ଦେଇଥିଲେ । ପୂଜା ନିଜ ବର୍ଗରେ ସ୍କଟ୍ଲାଣ୍ଡର ଲୌମୋଫାକ୍ ଲେତଚିଦଜିଓଙ୍କୁ ୧୨-୨ରେ ହରାଇ ଭାରତକୁ ୩୨ତମ ପଦକ ଜିତାଇଥିଲେ ।
ବକ୍ସିଂ ଫାଇନାଲ୍ରେ ଅମିତ, ନିଖତ, ନୀତୁ
ମହିଳା ବକ୍ସିଂ ୬୦କିଗ୍ରା ବର୍ଗରେ ଜସ୍ମିନ ଇଂଲଣ୍ଡର ଗେମା ପେଜ୍ ରିଚାର୍ଡସନ୍ଙ୍କ ଠାରୁ ପରାଜିତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ବର୍ତ୍ତମାନ ବିଶ୍ୱ ବିଜୟିନୀ ନିଖତ ମହିଳା ୫୦କିଗ୍ରା ବର୍ଗରେ ଇଂଲଣ୍ଡର ସଭନ୍ନା ଅଲ୍ଫିଆଙ୍କୁ ୫-୦ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଅମିତ ପଙ୍ଘାଲ ପୁରୁଷ ୫୧କିଗ୍ରା ବର୍ଗରେ ଜାମ୍ବିଆର ପାଟ୍ରିକ୍ ଚିନେୟମ୍ବାଙ୍କୁ ୫-୦ରେ ହରାଇ ଫାଇନାଲ୍ରେ ସ୍ଥାନ ପାଇଥିଲେ । ସେହିପରି ନୀତୁ ୪୮କିଗ୍ରାରେ କାନାଡ଼ାର ପ୍ରିଙ୍କା ଢିଲନଙ୍କୁ ୫-୦ରେ ହରାଇ ସ୍ୱର୍ଣ୍ଣ ପଦକ ବାଉଟ୍ରେ ପ୍ରବେଶ କରିଛନ୍ତି ।
ଟିଟିରେ ଭାରତର ଆଉ ଏକ ପଦକ ପକ୍କା
ଟେବୁଲ୍ ଟେନିସ୍ରେ ଭାରତର ଆଉ ଏକ ପଦକ ପକ୍କା ହୋଇଛି । ଅଚନ୍ତ ଶରତ କମଲ ଓ ଜି. ସାଥିୟାନ୍ଙ୍କ ଯୋଡ଼ି ଅଷ୍ଟ୍ରେଲିଆର ନିକୋଲାସ୍ ଲୁମ୍ ଓ ଫିନ୍ ଲୁଙ୍କ ଯୋଡ଼ିକୁ ୮-୧୧, ୧୧-୯, ୧୦-୧୨, ୧୧-୧, ୧୧-୮ରେ ହରାଇ ଫାଇନାଲ୍ରେ ସ୍ଥାନ ପାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *