କଂଗ୍ରେସର ଜେଲ୍ ଭରୋ

ନୂଆଦିଲ୍ଲୀ,୫ ।୮: ମହଙ୍ଗା, ବେକାର ସମସ୍ୟା ଓ ଅନେକ ଖାଦ୍ୟ ସାମଗ୍ରୀକୁ ଜିଏସ୍ଟି ପରିସରକୁ ଅଣାଯିବା ବିରୋଧରେ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ସହ ଜେଲଭରୋ ଆନେ୍ଦାଳନ କରିଛି । ଦିଲ୍ଲୀରେ ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଶଶି ଥରୁରଙ୍କ ସମେତ ଦଳର ବହୁ ନେତା ସାମିଲ ହୋଇଥିଲେ । ଦିଲ୍ଲୀ ପୁଲିସ ୬୫ ସାଂସଦ ସମେତ ୩୩୫ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ବିକ୍ଷୋଭ ସ୍ଥଳରୁ ନେଇ ପୁଲିସ ଲାଇନ୍ କିଙ୍ଗ୍ସ୍ୱେ କ୍ୟାମ୍ପରେ ୬ ଘଣ୍ଟା ଅଟକ ରଖିବା ପରେ ଛାଡ଼ି ଦେଇଛି ।
ଦିଲ୍ଲୀରେ ବିକ୍ଷୋଭ ବେଳେ ସବୁ କଂଗ୍ରେସ ନେତା କଳା ପୋଷାକ ପିନ୍ଧିଥିଲେ । ସଂସଦ ପରିସରରେ ରାହୁଳଙ୍କ ସମେତ ଅନ୍ୟ କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ କରିଥିଲେ । ଏହାପରେ ସେମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ । କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ରାଷ୍ଟ୍ରପତି ଭବନ ଆଡ଼କୁ ଯିବାକୁ ଦେଇ ନ ଥିଲା ।
ବିକ୍ଷୋଭ ଶୋଭାଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୋଗ ଦେଇ ନ ଥିଲେ । ସେ ସଂସଦର ଗେଟ୍ ନଂ ୧ ବାହାରେ ବ୍ୟାନର ଧରିଥିବା ମହିଳା ସାଂସଦମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଅନ୍ୟ ସାଂସଦମାନଙ୍କୁ ବିଜୟଚୌକ୍ରୁ ଗିରଫ କରିନେଇଥିଲା ।
କଂଗ୍ରେସ ମୁଖ୍ୟାଳୟରେ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ରୁଣ୍ଡ ହୋଇଥିଲେ । କଂଗ୍ରେସ ମୁଖ୍ୟାଳୟରୁ ବାହାରି ଥିବା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ପ୍ରିୟଙ୍କା ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ଯୋଜନା ଥିଲା । ପ୍ରିୟଙ୍କା ବାରିକେଡ୍ ଡେଇଁ ଆଗକୁ ଯିବାରୁ ପୁଲିସ ତାଙ୍କୁ ଗିରଫ କରିନେଇଥିଲା । ଏହା ପୂର୍ବରୁ ସେ ଧାରଣାରେ ବସିଥିବା ବେଳେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ହାତ ମୋଡ଼ିବା ସହିତ ଆଉ କେତେକେ ପୁଲିସଙ୍କୁ ଧକ୍କା ମାରିଥିବାର ଫଟୋ ଭାଇରାଲ୍ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *