ରେପୋ ରେଟ୍ ୫.୪%କୁ ବୃଦ୍ଧି
ଆହୁରି ମହଙ୍ଗା ହେବ ଋଣ କିସ୍ତି
ନୂଆଦିଲ୍ଲୀ, ୫ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ୍ ବଢାଇବା ଫଳରେ ରେପୋ ରେଟ୍ ହାର ୪.୯% ବଢି ୫.୪୦% ହୋଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି, ରେପୋ ରେଟ୍ ବୃଦ୍ଧି ତକ୍ରାଳ ଲାଗୁ ହେବ ।
ବଜାରରେ ମୁଦ୍ରାର ପ୍ରବାହକୁ ନିୟନ୍ତ୍ରିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ର ଉପଯୋଗ କରିଥାଏ । ମହଙ୍ଗା ସ୍ଥିତି ନିୟନ୍ତ୍ରଣରେ ନ ରହିଲେ ଆର୍ବିଆଇ ରେପୋ ରେଟ୍ ବଢାଇଥାଏ । ରେପୋ ରେଟ୍ ବୃଦ୍ଧିର ଅର୍ଥ ହେଉଛି ଯେଉଁ ବ୍ୟାଙ୍କ୍ ଆର୍ବିଆଇରୁ ଅର୍ଥ ରାଶି ନେବ, ତାକୁ ସେହି ଅର୍ଥ ପାଇଁ ବର୍ଦ୍ଧିତ ସୁଧ ହାର ଦେବାକୁ ହେବ । ସୁଧହାର ବଢିଲେ ବ୍ୟାଙ୍କମାନେ ଆର୍ବିଆଇରୁ କମ୍ ଅର୍ଥ ରାଶି ନେଇଥାନ୍ତି ଏବଂ ତଦ୍ଦ୍ୱାରା ବଜାରରେ ମୁଦ୍ରା ପ୍ରବାହ ନିୟନ୍ତ୍ରଣରେ ରହେ । ଏବେ ରେପୋ ରେଟ୍ ବଢିବା ଫଳରେ ଯାବତୀୟ ଋଣର ଇଏମ୍ଆଇ ମହଙ୍ଗା ହେବ । ତେବେ ଯେଉଁମାନେ ଫିକ୍ସଡ୍ ରେଟ୍ରେ ବ୍ୟାଙ୍କରୁ ଋଣ ନେଇଛନ୍ତି, ସେମାନଙ୍କ ପାଇଁ ରେପୋ ରେଟ୍ ବୃଦ୍ଧି ନେଇ ଚିନ୍ତା କରିବାର ଅବକାଶ ରହିବ ନାହିଁ । କେବଳ ଭାରିଏବୁଲ୍ ହାରରେ ଦିଆଯାଉଥିବା ଋଣ ଉପରେ ରେପୋ ରେଟ୍ ବୃଦ୍ଧିର ପ୍ରଭାବ ପଡିବ ।
ଗତ ୩ ମାସ ଭିତରେ ରେପୋ ରେଟ୍ରେ ମୋଟ୍ ୧.୪୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଫଳରେ ଋଣ ମହଙ୍ଗା ହେଉଛି । ବ୍ୟାଙ୍କମାନଙ୍କୁ ଜମା ହାର ବଢାଇବାକୁ ପଡୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଯେଉଁ ସଂଚୟ ଯୋଜନାଗୁଡିକରେ ସର୍ବାଧିକ ସାଧାରଣ ନାଗରିକ ନିବେଶ କରିଥାନ୍ତି, ତା’ର ସୁଧ ହାର ବୃଦ୍ଧି କରାଯାଉ ନାହିଁ । ଏନ୍ଏସ୍ସି, ପିପିଏଫ୍ ଓ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସଂଚୟ ଯୋଜନାର ସୁଧହାର ବଢିନାହିଁ । ତେବେ ଶୁକ୍ରବାର ଆର୍ବିଆଇ ପୁଣି ଥରେ ୦.୫୦ ପ୍ରତିଶତ ରେପୋ ରେଟ୍ ବଢାଇବା
ନିଷ୍ପତ୍ତି ନେବା ପରେ ସେପ୍ଟେମ୍ବର ଶେଷ ବେଳକୁ ଏହିସବୁ ସଂଚୟ ଯୋଜନାର ସୁଧହାର ବୃଦ୍ଧି ସମ୍ଭାବନା ବଢିଛି । ରେପୋ ରେଟ୍ ବୃଦ୍ଧି ନିଷ୍ପତ୍ତି ଘୋଷଣା ପରେ ଅନେକ ବ୍ୟାଙ୍କ ଗ୍ରାହକଙ୍କ ଜମା ରାଶିର ସୁଧହାର ବଢାଇବା ଘୋଷଣା କରିଛନ୍ତି । ୨୦୨୨ ଜୁନ୍ ୩୦ ସୁଦ୍ଧା ଅର୍ଥ ମନ୍ତ୍ରାଳୟ କ୍ଷୁଦ୍ର ସଂଚୟ ଯୋଜନାଗୁଡିକର ସୁଧ ହାରରେ କୌଣସି ପରିବର୍ତ୍ତନ କରି ନ ଥିଲେ । ଚଳିତ ଆର୍ଥôକ ବର୍ଷର ତୃତୀୟ ତ୍ରିମାସ ପାଇଁ ସେପ୍ଟେମ୍ବର ୩୦ରେ ଅର୍ଥ ମନ୍ତ୍ରାଳୟ କ୍ଷୁଦ୍ର ସଂଚୟ ଯୋଜନାଗୁଡିକର ସୁଧ ହାର ସମୀକ୍ଷା କରି ବିଭିନ୍ନ ସେଭିଙ୍ଗ୍ ସ୍କିମ୍ରେ ମିଳୁଥିବା ସୁଧ ବଢାଇବା ଆଶା କରାଯାଉଛି ।
ଏବେ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ରେ ବାର୍ଷିକ ସୁଧ ୭.୧ ପ୍ରତିଶତ ମିଳୁଛି । ଏନ୍ଏସ୍ସିରେ ୬.୮ ପ୍ରତିଶତ, ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ, ସିନିୟର ସିଟିଜନ୍ ସେଭିଙ୍ଗ୍ ସ୍କିମ୍ରେ ୭.୪ ପ୍ରତିଶତ, କିଷାନ ବିକାଶ ପତ୍ରରେ ୬.୯ ପ୍ରତିଶତ, ବର୍ଷିକିଆ ସ୍ଥାୟୀ ଜମାରେ ୫.୫ ପ୍ରତିଶତ ଏବଂ ୧ରୁ ୫ ବର୍ଷ ସ୍ଥାୟୀ ଜମା ଉପରେ ୫.୫-୬.୭ ସୁଧ ଦିଆଯାଉଛି । ୫ ବର୍ଷିଆ ସ୍ଥାୟୀ ଜମା ଯୋଜନାରେ ମିଳୁଛି ୫.୮ ପ୍ରତିଶତ ସୁଧ ।
ରେପୋ ରେଟ୍ ବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି (ଏମ୍ପିସି) ବୈଠକ ଅଗଷ୍ଟ ୩ରୁ ଆରମ୍ଭ ହୋଇଥିଲା । ଶୁକ୍ରବାର ବୈଠକ ଶେଷ ହେବା ପରେ ଶ୍ରୀ ଦାସ ତତ୍ସମ୍ବନ୍ଧୀୟ ସୂଚନା ଦେଇଥିଲେ । ପୂର୍ବ ଦୁଇ ଏମ୍ପିସି ବୈଠକ (ମେ’ ଓ ଜୁନ୍ରେ ଅନୁଷ୍ଠିତ)ରେ ରେପୋ ରେଟ୍କୁ ଦୁଇଥର ୫୦-୫୦ ବେସିସ୍ ପଏଣ୍ଟ୍ (ବିପିଏସ୍) ବଢାଇ ୪.୯୦ ପ୍ରତିଶତ କରିଦିଆଯାଇଥିଲା ।
ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ସ୍ୱାଭାବିକଭାବେ ବୈଶ୍ୱିକ ଆର୍ଥôକ ସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛି । ଆମେ ଉଚ୍ଚ ମୁଦ୍ରାସ୍ଫୀତି ସମସ୍ୟା ସହ ଲଢୁଛୁ । ତେଣୁ ତକ୍ରାଳ ପ୍ରଭାବରେ ରେପୋ ରେଟ୍କୁ ୫୦ ବିପିଏସ୍ ବଢାଇବାକୁ ପଡିଲା । ୨୦୨୨-୨୩ ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଅନୁମାନ କରାଯାଉଛି । ୨୦୨୩-୨୪ର ପ୍ରଥମ ତ୍ରିମାସରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୬.୭ ହେବା ଆଶା କରାଯାଉଛି । ୨୦୨୨-୨୩ରେ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିପାରେ । ୨୦୨୩-୨୪ର ପ୍ରଥମ ତ୍ରିମାସରେ ସିପିଆଇ ମୁଦ୍ରାସ୍ଫୀତି ୫ ପ୍ରତିଶତ ହେବା ଆକଳନ ଅନୁମାନ କରାଯାଉଛି ।
ଜୁନ୍ରେ ମହଙ୍ଗା ହାର ଥିଲା ୭.୦୧ ପ୍ରତିଶତ । କ୍ରମାଗତ ଷଷ୍ଠ ବାର ମହଙ୍ଗା ହାର ଆର୍ବିଆଇର ନିର୍ଦ୍ଧାରିତ ସୀମା (୬ ପ୍ରତିଶତ)ରୁ ଅଧିକ ରହିଆସିଛି । ମେ’ ମାସରେ ଖୁଚୁରା ମହଙ୍ଗା ହାର ଥିଲା ୭.୦୪ ପ୍ରତିଶତ । ରିଜର୍ଭ ବ୍ୟାଙ୍କ ୨୦୨୨-୨୩ ପାଇଁ ଆନୁମାନିକ ମହଙ୍ଗା ହାରକୁ ୫.୭ ପ୍ରତିଶତରୁ ବଢାଇ ୬.୭ ପ୍ରତିଶତ କରିଛି ।