ଦେଶବ୍ୟାପୀ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ(ଏଜେନ୍ସି): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଶୁକ୍ରବାର ଦେଶବ୍ୟାପୀ କଂଗ୍ରେସର ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ଦେଶର ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ପ୍ରତିବାଦକୁ ଓହ୍ଲାଇଥିଲେ । ଦିଲ୍ଲୀରେ ଆନେ୍ଦାଳନର ମଙ୍ଗ ରାହୁଲ ଏବଂ ଓ ପ୍ରିୟଙ୍କା ଗାନ୍ଧୀ ସମ୍ଭାଳିଥିବା ବେଳେ ସୋନିଆଙ୍କ ଠାରୁ ଆରମ୍ଭ କରି ଦଳର ପ୍ରାୟ ସମସ୍ତ ବରିଷ୍ଠ ନେତା ତଥା ସାଂସଦ ଏଥିରେ ସାମିଲ ହୋଇଥିଲେ । ସେହିପରି ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତା ଓ ବିଧାୟକମାନେ ମଧ୍ୟ ଦରଦାମ ବୃଦ୍ଧି ବିରୋଧରେ ଗର୍ଜନ କରିଛନ୍ତି । କେବଳ ଦିଲ୍ଲୀରେ ପୁୂଲିସ୍ ୨ଠଠରୁ ଅଧିକ କଂଗ୍ରେସ ନେତାଙ୍କୁ ରାସ୍ତାରୁ ଉଠାଇନେଇଥିବା ବେଳେ ଏଥିରେ ୬୪ରୁ ଅଧିକ ସାଂସଦ ସାମିଲ ଥିଲେ । ତେବେ ରିପୋର୍ଟ ଲେଖାହେବା ବେଳକୁ ଏମାନେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ରାହୁଲ କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଦେଶରେ ଏକଛତ୍ରବାଦୀ ସରକାର ଚଳାଉଥିବା ଅଭିଯୋଗ ସହ ଇଡି, ସିବିଆଇ ତଥା ଅନ୍ୟ କେନ୍ଦ୍ରୀ ତଦନ୍ତକାରୀ ଦଳଙ୍କ ଭୟ ଦେଖାଇ ବିରୋଧୀଙ୍କ ମୁହଁ ଚୁପ୍ କରିବାକୁ ମୋଦି ସରକାର ଚେଷ୍ଟା କରୁଥିବା ରାହୁଲ କହିଛନ୍ତି । ସେହିପରି ବିକ୍ଷୋଭ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଥିଲେ ଯେ, ସେ କେନ୍ଦ୍ର ବିରୋଧରେ ଦେଶବାସୀଙ୍କ ଆଗରେ ନିରନ୍ତର ସତ କହୁଥିବାରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଛି । ମିଥ୍ୟା ଅଭିଯୋଗରେ ଫସାଇବା ପାଇଁ ଚେଷ୍ଟା କରାଯାଉଛି । ନିଜ ଦେଶର ସବୁ ସରକାରୀ କଳକୁ କବଳିତ କରି ନାଜି ଏକଛତ୍ରବାଦୀ ଶାସକ ଆଡଲଫ୍ ହିଟଲର ମଧ୍ୟ ସରକାର ଚଳାଉଥିଲା । ଭାରତରେ ମଧ୍ୟ ଏବେ ସେହି ପରିସ୍ଥିତି ଉତ୍ପନ୍ନ ହୋଇଛି । ଯଦି ତାଙ୍କୁ (ରାହୁଲଙ୍କୁ) ଦେଶର ସରକାରୀ ସଂସ୍ଥାଗୁଡ଼ିକର ନିୟନ୍ତ୍ରଣ କ୍ଷମତା ମିଳେ ତେବେ ଦେଶରେ ନିର୍ବାଚନ କିପରି ହୁଏ ସେ ଦେଖାଇଦେବେ ବୋଲି କହିଛନ୍ତି । ରାହୁଲଙ୍କ କହିବାନୁସାରେ ଏସବୁ ଗଣତନ୍ତ୍ରର ହତ୍ୟା ସଦୃଶ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସମାଜରେ ଘଟୁଥିବା ହିଂସା ବିରୋଧରେ କିପରି କେହି ସ୍ୱର ଉତ୍ତୋଳନ ନକରିବେ ତାହା ହିଁ କେନ୍ଦ୍ର ସରକାରଙ୍କ ଏକମାତ୍ର ଏଜେଣ୍ଡା । ମୋଦି ସରକାର କେବଳ ୪ରୁ ୫ ଜଣ ଲୋକଙ୍କ ସ୍ୱାର୍ଥ ସାଧାନ ପାଇଁ କାମ କରିବାରେ ଲାଗିଛନ୍ତି ବୋଲି ରାହୁଲ କହିଛନ୍ତି ।
ଅନ୍ୟପକ୍ଷେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଅନେକ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାହୁଲଙ୍କ ଏପ୍ରକାର ବୟାନ୍ ତଥା କଂଗ୍ରେସର ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଳାପୋଷାକ ପିନ୍ଧି ଏପ୍ରକାର ପ୍ରତିବାଦ କରିବା ଦେଶରେ ରାମମନ୍ଦିର ନିର୍ମାଣକୁ ବିରୋଧ କରିବା ଭଳି ପ୍ରତୀତ ହେଉଥିବା ଶାହା କହିଛନ୍ତି । ଏଥିସହ ଦୁର୍ନୀତି ହୋଇଥିଲେ ତଦନ୍ତ ହେବ ଏବଂ ଆଇନ୍ ତା’ କାମ କରିବ ବୋଲି ଶାହା କହିଛନ୍ତି । ଗାନ୍ଧୀ ପରିବାର ନିଜକୁ ନିଦେ୍ର୍ଦାଷ କହିଦେଲେ ହେବନି ଏଥିପାଇଁ ଆଇନ୍କୁ ପ୍ରମାଣ ବି ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି ।
ଏସବୁ ମଧ୍ୟରେ ଇଡି ପକ୍ଷରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜେଏଲ୍) ଏବଂ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଯାହାସବୁ ଆର୍ଥିକ ଡିଲ୍ ହେଉଥିଲା ସେସବୁର ନିଷ୍ପତ୍ତି ଦିବଙ୍ଗତ ନେତା ମୋତିଲାଲ୍ ଭୋରା ନେଉଥିଲେ ବୋଲି ଯାହା କଂଗ୍ରେସ ପକ୍ଷରୁ କୁହାଯାଉଛିି ସେସମ୍ପର୍କରେ କୌଣସି ପ୍ରମାଣ ନାହିଁ ବୋଲି ଇଡି ସ୍ପଷ୍ଟ କରିଛି । ଜେରା ସମୟରେ ରାହୁଲ, ସୋନିଆ କିମ୍ବା ଅନ୍ୟ କୌଣସି କଂଗ୍ରେସ ନେତା ଏସମ୍ପର୍କରେ ବଳିଷ୍ଠ ପ୍ରମାଣ ଦେଇପାରିନଥିବା ଇଡି କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *