ଚିଙ୍ଗୁଡ଼ିଘେରିକୁ କେନ୍ଦ୍ରକରି ଗୋଷ୍ଠୀସଂଘର୍ଷ
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗ୍ରାମରେ ଚିଙ୍ଗୁଡ଼ି ଘେରିକୁ ନେଇ ଘନ ଘନ ବୋମା ମାଡ଼ ହୋଇଛି । ଫଳରେ ଉକ୍ତ ବୋମା ମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ନିୟନ୍ତ୍ରଣକୁ ଆସିଥିଲା । ଉକ୍ତ ଘଟଣାରେ ପୁଲିସ କଡ଼ା ନଜର ରଖିବା ସହ ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ ସୂଚନା ଦେଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁମନ୍ତ ପ୍ରଧାନ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗ୍ରାମର ଚିଙ୍ଗୁଡ଼ି ଘେରିକୁ ନେଇ ଦୁଇଗୋଷ୍ଠୀ ହୋଇଛନ୍ତି । ସେମାନଙ୍କ ଅଞ୍ଚଳରେ ଥିବା ୩ ଏକର ଚିଙ୍ଗୁଡ଼ି ଘେରିକୁ ବିବାଦ ପୂର୍ବରୁ ଲାଗି ରହିଥିଲା । ଏହାକୁ ନେଇ ମଧ୍ୟ ପୂର୍ବରୁ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେହି ଚିଙ୍ଗୁଡ଼ି ଘେରିକୁ ଦଖଲ କରିବାକୁ ଯାଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ପୁଣିଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ପ୍ରାଥମିକ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଘନ ଘନ ବୋମା ମାଡ଼ ହୋଇଥିଲା । ବୋମାମାଡ଼ରେ ଗାଁ ଦାଣ୍ଡ ଥରି ଉଠିଥିଲା । କିଛି ସମୟ ଧରି ଗ୍ରାମରେ ଉତ୍ତେଜନା ଦେଖାଦେବା ସହ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ଫୋପଡ଼ା ଫୋପଡ଼ି ମଧ୍ୟ ହୋଇଥିଲେ । ବୋମା ମାଡ଼ରେ ଉକ୍ତ ଗ୍ରାମର ସୁମନ୍ତ ଗୁରୁତର ହୋଇଥିବା ବେଳେ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଶେଷ ସୂତ୍ରରୁ ଖବରପାଇ ବ୍ରହ୍ମଗିରି ଥାନାଧିକାରୀ ମନୋଜ କୁମାର ଶତପଥିଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିବାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଇତ୍ତେଜନା ସମ୍ପୂର୍ଣ୍ଣ ଭାବେ କମି ନ ଥିବାବେଳେ ଗ୍ରାମରେ ବ୍ୟାପକ ଫୋର୍ସ ମୁତୟନକରାଯିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଉପସ୍ଥିତ ରହିଛନ୍ତି ।