ବ୍ରାହ୍ମଣବେଡିଆ ରାସ୍ତା ଶୋଚନୀୟ

ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବେଡିଆ ଗାଁ ରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଛି । ୫୩ନଂ ଜାତୀୟ ରାଜପଥ ହାତୀଲୁଚାଣି ଛକଠାରୁ ଆରମ୍ଭ ହୋଇଥିବା ରାସ୍ତାରେ ହାତୀଲୁଚାଣି ଗ୍ରାମ ଭିତରଦେଇ ବ୍ରାହ୍ମଣବେଡିଆ ଗ୍ରାମର ବସ୍ତି ବାସିନ୍ଦା ଯିବା ଆସିବା କରିଥାନ୍ତି । ହାତୀଲୁଚାଣି ଓ ବ୍ରାହ୍ମଣବେଡିଆ ଗ୍ରାମ ଦୁଇଟି ଏକାଠି ରହିଛି । ହେଲେ ଏଥିମଧ୍ୟରୁ ହାତୀଲୁଚାଣି ଗାଁଟି ମୁଣ୍ଡେଇଲୋ ପଞ୍ଚାୟତ ଅଧିନରେ ଯାଉଥିବାବେଳେ ବ୍ରାହ୍ମଣବେଡିଆ ଗ୍ରାମଟି କଲଦା ପଞ୍ଚାୟତ ଅଧୀନରେ ରହିଛି । କିନ୍ତୁ ଏହି ଦୁଇ ଗାଁକୁ ନେଇ ମଧ୍ୟଭାଗରେ ରାସ୍ତାକଡକୁ ଲାଗି ରହିଛି ହାତୀଲୁଚାଣି । ବ୍ରାହ୍ମଣବେଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏହି ଗ୍ରାମ ଦୁଇଟି ପୃଥକ ପୃଥକ ପଞ୍ଚାୟତ ଅଧୀନରେ ଥିବାବେଳେ ଏମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଗମନାଗମନ ଲାଗି ଭଲ ରାସ୍ତା ଖଣ୍ଡିଏ ହୋଇ ପାରିଲା ନାହିଁ । ଯାହାଫଳରେ ବର୍ଷାଦିନ ଆସିଲେ ଏହି ଗାଁର ଲୋକମାନେ ପାଣି କାଦୁଅରେ ଯିବା ଆସିବା କରିଥାନ୍ତି ।
ବିଶେଷକରି ବ୍ରାହ୍ମଣବେଡିଆ ଗ୍ରାମର ଲୋକମାନେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାରଣ ଏହି ଗ୍ରାମକୁ ଲାଗି ରହିଥିବା ବିଦ୍ୟାଳୟ ନିକଟରେ ରାସ୍ତା ଉପରେ ଆଣ୍ଠୁଏ ଅପରିଷ୍କାର ପାଣି ଜମିରହୁଛି । ରାସ୍ତାରୁ ପାଣି ନିଷ୍କାସନ ହୋଇନପାରିବାରୁ ଗାଁର ୮୦ ପରିବାରରୁ ଉଦ୍ଧ୍ୱର୍ ଲୋକମାନେ ଏହି ଅପରିଷ୍କାର ପାଣିରେ ଯିବା ଆସିବା କରୁଛନ୍ତି । ଏହାର କାରଣ ହେଉଛି ରାସ୍ତାର ଉପର ମୁଣ୍ଡରେ ବିଲବାଡି ରହିଛି । ତାହା ସାଙ୍ଗକୁ ରାସ୍ତାକୁ ଲାଗି ଗାଁର କେତୋଟି ପରିବାରଙ୍କର କମ୍ପୋଷ୍ଟ ଗାଡିଆ ରହିଛି । ଯାହାକି ବର୍ଷାଦିନେ ବିଲବାଡି ପାଣି ସାଙ୍ଗକୁ କମ୍ପୋଷ୍ଟ ଗାଡିଆରେ ଅପରିଷ୍କାର ପାଣି ଏହି ରାସ୍ତାରେ ହିଁ ଜମିଥାଏ । ରାସ୍ତାର ତଳଆଡକୁ ପାଣି ନିଷ୍କାସନ ହୋଇନପାରିବାରୁ ଏଥିରୁ ନିର୍ଗତ ଦୁର୍ଗନ୍ଧ ଓ ଅଳିଆ ଆବର୍ଜନା ପାଣିରେ ଯିବାକୁ ପଡୁଛି । ନିକଟରେ ବିଦ୍ୟାଳୟ ରହିଥିବାରୁ ଗାଁର କୋମଳମତି ପିଲାମାନେ ଚାଲି ଚାଲି ଏହି ଅପରିଷ୍କାର ପାଣିରେ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । ଏତଦ ବ୍ୟତିତ ପିଲାଙ୍କ ମଧ୍ୟାହ୍ନ ଭୋଜନ ରହିଛି । ବର୍ଷାଦିନେ ମଶା, ମାଛିଙ୍କ ଆଡାସ୍ଥଳି ଅଧିକ । ଏହି ବିଦ୍ୟାଳୟ ଠାରୁ ମାତ୍ର ୨୦ ମିଟର ଦୂରତା ମଧ୍ୟରେ ରହିଛି ଏହି କମ୍ପୋଷ୍ଟ ଗାଡିଆ ଗୁଡିକ । ଏହି ଅଳିଆ ଆବର୍ଜନା ପାଣିରେ ସ୍କୁଲ ପିଲା ହୁଅନ୍ତୁ କିମ୍ବା ଗ୍ରାମବାସୀ ହୁଅନ୍ତୁ ଚର୍ମରୋଗ ଦେଖାଯିବା ଆଶଙ୍କା ସହ ଗୋରୁ ଗାଈଙ୍କ ପ୍ରତି ବଜବଜିଆ ରୋଗର ଆଶଙ୍କା ରହିଛି । ତୁରନ୍ତ ଗ୍ରାମବାସୀଙ୍କ ଏହି ସମସ୍ୟାକୁ ଦୂରୀଭୂତ କରିବା ସହ ଏମାନଙ୍କ ଲାଗି ରାସ୍ତା ମରାମତି କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *