ବଢ଼ୁଛି ଚୀନ୍-ତାଇୱାନ୍ ତିକ୍ତତା
ବେଜିଂ/ ତାଇପେଇ// ୱାଶିଂଟନ୍ (ଏଜେନ୍ସି): ଆମେରିକା ସଂସଦ ବାଚସ୍ପତି ନାନ୍ସୀ ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଉନ୍ମତ୍ତ ପ୍ରାୟ ହୋଇପଡିଥିବା ଚୀନ୍ ନିଜ ଆଭିମୂଖ୍ୟ ସ୍ପଷ୍ଟ କରିବାରେ ଲାଗିଛି । କେତେବେଳେ ତାଇୱାନ୍ ସୀମା ମଧ୍ୟକୁ ନିଜ ଲଢ଼ୁଆ ବିମାନ ପୂରାଇ ତ ଆଉ କେତେବେଳେ ତାଇୱାନ୍କୁ ଲାଗିଥିବା ସାମୁଦ୍ରିକ କ୍ଷେତ୍ରରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରି, ଚୀନ୍ ତାଇୱାନ୍ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି । ଗତକାଲି ଠାରୁ ଚୀନ୍ ତାଇୱାନ୍ ସୀମାରେଖା ସଂଲଗ୍ନ ଚର୍ତୁପାଶ୍ୱର୍ରେ ସାମରିକ ଅଭ୍ୟାସ ଜାରି ରଖିଛି । ବିଶେଷକରି ସମୁଦ୍ର ଏବଂ ସ୍ଥଳ ଭାଗରେ ଚୀନ୍ ସେନା ନିଜ ପରାକ୍ରମ ଦେଖାଇବା ଜାରି ରଖିଛନ୍ତି । ଅନ୍ୟପକ୍ଷେ ତାଇୱାନ୍ ମଧ୍ୟ ପ୍ରତିରକ୍ଷା ତଥା ପ୍ରତିଆକ୍ରମଣ ପାଇଁ ନିଜ ପ୍ରସ୍ତୁତି ପ୍ରକ୍ରିୟା ଶେଷ କରିଛି । ତେବେ ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ଏପ୍ରକାର ବଢ଼ୁଥିବା ତିକ୍ତତା ଉପରେ ସମଗ୍ର ବିଶ୍ୱ ନଜର ନିବଦ୍ଧ ରଖିଥିବା ବେଳେ ଆମେରିକା, ତାଇୱାନ୍କୁ ଦେଇଥିବା ସୁରକ୍ଷା ପ୍ରତିଶ୍ରୁତି ପାଳନ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି ।
ଆମେରିକା ନିଜ ସେନାରେ ବ୍ୟବହୃତ ହେଉଥିବା ଦୁର୍ଦ୍ଦଶ ୟୁଏସ୍ଏସ୍ ରୋନାଲ୍ଡ ରିଗନ୍କୁ ତାଇୱାନ୍ ସୀମାରେ ମୁତୟନ କରିଛି । ପ୍ରକାଶ, ୟୁଏସଏସ ରୋନାଲ୍ଡ ରିଗନ୍ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱର ଦ୍ୱିତୀୟ ସବୁଠୁ ବଡ ବିମାନବାହକ ଯୁଦ୍ଧ ଜାହାଜ । ଏହା ସ୍ୱତଃ ଏକ ବିଶାଳ ଯୁଦ୍ଧ ଜାହାଜ । ଏଥିରେ ହାଇଟେକ୍ନୋଲୋଜି ସମ୍ପନ୍ନ ସାମରିକ ଉପକରଣ ଖଞ୍ଜା ଯାଇଥିବା ବେଳେ ଏଥିରେ ସବୁପ୍ରକାର ସୁବିଧା ରହିଛି । ଏହା ନିମିତଜ ଶ୍ରେଣୀର ଏୟାରକ୍ରାଫ୍ଟ କ୍ୟାରିୟର । ଅର୍ଥାତ୍ ଏହା ପରମାଣୁ ଇନ୍ଧନରେ ସଞ୍ଚାଳିତ । ରୋନାଲ୍ଡ ରିଗନ୍ ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହାର ଓଜନ ୧.ଠ୧ ଲକ୍ଷ ଟନ୍ରୁ ଅଧିକ ଏବଂ ଲମ୍ବା ୧୯ଠ୨ ଫୁଟ୍ । ଏତଦ୍ବ୍ୟତୀତ ଏଥିରେ ୪ଟି ଷ୍ଟିମ୍ ରର୍ବାଇନ ରହିଛି । ସବୁଠୁ ବଡ଼କଥା ହେଉଛି, ଘଣ୍ଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରୁଥିବା ଏହି ବିଶାଳ ଯୁଦ୍ଧ ଜାହାଜରେ ୯ଠଟି ଲଢ଼ୁଆ ବିମାନ ଏବଂ ହେଲିକପ୍ଟର ସହ ପ୍ରାୟ ୨୫ଠଠ ସୈନିକ ମୁତୟନ କରାଯାଇପାରିବାର ବ୍ୟବସ୍ଥା ରହିଛି ।
ୟୁଏସ୍ଏସ୍ ରୋନାଲ୍ଡ ରିଗନରେ ୩ ପ୍ରକାରର ଘାତକ ଯୁଦ୍ଧାସ୍ତ୍ରକୁ ସାମିଲ କରାଯାଇଛି । ପ୍ରଥମରେ ଇଭଲଭ୍ଡ ସି ସ୍ପାରୋ ମିସାଇଲ, ଦ୍ୱିତୀୟରେ ରୋଲିଂ ଏୟାରଫ୍ରେମ୍ ମିସାଇଲ୍ ଏବଂ ତୃତୀୟରେ କ୍ଲୋଜ ଇନ୍ ଓ୍ିପନ୍ସ । ଏହି ୩ ଯୁଦ୍ଧାସ୍ତ୍ର ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ଏବଂ ଜୋରଦାର ପ୍ରହାର କରି ସେମାନଙ୍କୁ ନଷ୍ଟ କରିଦେବାର ସାମର୍ଥ୍ୟ ରଖୁଛନ୍ତି । ରୋନାଲ୍ଡ ରିଗନ୍ରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ମଧ୍ୟ ସଂଲଗ୍ନ କରାଯାଇଛି ।
ଏସବୁ ମଧ୍ୟରେ ଚୀନ୍, ଆମେରିକା ସହ ସବୁପ୍ରକାର ସମ୍ପର୍କ ଚ୍ଛିନ୍ନ କରିବା ଢ଼ଙ୍ଗରେ ତରବରିଆ ଭାବେ ନାନ୍ସୀ ପେଲୋସୀଙ୍କ ଉପରେ ସବୁପ୍ରକାର ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି । ଏତଦ୍ବ୍ୟତୀତ ଆମେରିକା ସହ ସାମରିକ, ଜଳବାୟୁ ପରିବର୍ତ୍ତନ, ସୈନ୍ୟ ପ୍ରସଙ୍ଗ, ନିଷା ଔଷଧ ବିରୋଧୀ କାର୍ଯ୍ୟକ୍ରମ ଭଳି ଅନେକ ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାରୁ ମଧ୍ୟ ଚୀନ୍ ଓହରିଯାଇଛି ।