ଦିବ୍ୟାଙ୍ଗ ଶିଶୁକନ୍ୟାକୁ ବାଲ୍କୋନିରୁ ଫିଙ୍ଗିଲା ମା’

ବେଙ୍ଗାଲୁରୁ (ଏଜେନ୍ସି): ନିଜ ପିଲା ଯେମିତି ବି ହେଉ, ତାକୁ ହତ୍ୟା କରିବାକୁ କୌଣସି ମା’ କେବେ ଚିନ୍ତା ବି କରିପାରିବନି । କେବଳ ପିଶାଚୀ ହିଁ ଏପରି ନାରକୀୟ କାଣ୍ଡ ହୁଏତ କରିପାରେ । କିନ୍ତୁ ବେଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଜଣେ ମହିଳା ଦାନ୍ତ ଡାକ୍ତର ନିଜ ୪ବର୍ଷର ଶିଶୁ କନ୍ୟାକୁ ୪ର୍ଥ ମହଲା କୋଠାରୁ ତଳକୁ ଫିଙ୍ଗି ହତ୍ୟା କରିଛି । ଘଟଣାସ୍ଥଳରେ ଶିଶୁ କନ୍ୟାଟିର ମୃତୁ୍ୟ ହୋଇଯାଇଛି ଏବଂ ଶିଶୁ କନ୍ୟାର ବାପା ଅର୍ଥାତ୍ ଅଭିଯୁକ୍ତା ମହିଳାଙ୍କ ସ୍ୱାମୀଙ୍କ ପକ୍ଷରୁ ରୁଜୁ ଏଫଆଇଆର୍ ଆଧାରରେ ପୁଲିସ୍ ଏହି ହତ୍ୟାକାରୀ ମା’କୁ ଗିରଫ କରିଛି । ତେବେ ଜଣେ ମା’ ଏପରି କରିବା ପଛରେ ଯେଉଁ କାରଣ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ନିଜ ଶିଶୁକନ୍ୟା ଶାରୀରିକ ବିକଳାଙ୍ଗ ଥିବାରୁ ଏହି ମହିଳାଜଣକ ଦୀର୍ଘଦିନ ଧରି ମାନସିକ ଅଶାନ୍ତି ମଧ୍ୟରେ ରହିଆସୁଥିଲେ । ଏହି କାରଣରୁ ସେ ନିଜ ଶିଶୁକନ୍ୟାକୁ ଏପ୍ରକାର ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଏପରି କରିଥିବା ପୁଲିସ୍ ଆଗରେ କହିଛନ୍ତି ।
ସେଣ୍ଟ୍ରାଲ ବେଙ୍ଗାଲୁରୁର ସମ୍ପନ୍ନଗିରାମାନଗର ସ୍ଥିତ ଅଦ୍ୱୈତ ଆଶ୍ରମ ଅପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି । ପୁରା ଘଟଣା ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି । ଏଥିରେ ମହିଳାଜଣକ ନିଜ ଶିଶୁକନ୍ୟାକୁ ହାତରେ ଧରି ପ୍ରଥମେ ନିଜ ରୁମ୍କୁ ଲାଗିକରି ଥିବା ବାଲ୍କୋନୀକୁ ଆସୁଥିବାର ଏବଂ କିଛି ସମୟ ପରେ ସେ ଶିଶୁକନ୍ୟାକୁ ତଳକୁ ଫିଙ୍ଗି ଦେଉଥିବାର ଦେଖିବାକୁ ମିଳିଛି । ଏହାପରେ ସେ ସହାୟତା ପାଇଁ ଲୋକଙ୍କୁ ଡାକ ପକାଇଥିଲେ ଏବଂ ଲୋକମାନେ ତଳେ ଗଦା ହୋଇଯିବା ପରେ ସେ ନିଜେ ମଧ୍ୟ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାର ନାଟକ କରିଥିଲେ । ତେବେ ଲୋକେ ତାଙ୍କୁ ବଞ୍ଚାଇନେଇଥିଲେ । ଏହି ହତ୍ୟାକାରୀ ମା’ ତଥା ମହିଳା ଦାନ୍ତ ଡାକ୍ତରଙ୍କ ନାମ ସୁଷମା ଭରଦ୍ୱାଜ୍ ଏବଂ ମୃତ ଶିଶୁକନ୍ୟାର ନାମ ଦୂତୀ ବାଲକୃଷ୍ଣନ୍ ବୋଲି ପୁଲିସ୍ ଜାଣିବାକୁ ପାଇଛି । ସେହିପରି ସୁଷମାଙ୍କ ସ୍ୱାମୀଙ୍କ ନାମ କିରଣ ବାଲକୃଷ୍ଣ ଏବଂ ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ବୋଲି ଦର୍ଶାଇଛି । ବିବାହ ପରେ ଦୂତୀ ଜନ୍ମଗ୍ରହଣ କରିବା ପରେ ଉଭୟ ବେଶ୍ ଖୁସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଜଣାପଡିଥିଲା ଯେ, ଦୂତୀର କହିବା ଏବଂ ଶୁଣିବାରେ ସମସ୍ୟା ଥିବା ଉଭୟ ଜାଣିବାକୁ ପାଇଥିଲେ ଯାହା ପରଠାରୁ ଉଭୟ ବେଶ୍ ନିରାଶାରେ ରହୁଥିଲେ । ଗୋଟିଏ ପଟେ ସ୍ୱାମୀ କିରଣ ନିଜ କାମ ଯୋଗୁୂ ଅଧିକାଂଶ ସମୟ ବାହାରେ ରହୁଥିବା ବେଳେ ଅନ୍ୟପଟେ ଭଲ ଚାଲୁନଥିବା ନିଜ ପେଶାଦାର କ୍ୟାରିୟର (ଦାନ୍ତ ଡାକ୍ତର) ଏବଂ ଝିଅର ଏପ୍ରକାର ଶାରୀରିକ ଅକ୍ଷମତାକୁ ନେଇ ସୁଷମା ବେଶ୍ ମାନସିକ ଅସନ୍ତୁଳିତ ରହୁଥିଲେ । ପୁଲିସ୍ ଏବେ ସୁଷମାଙ୍କ ମାନସିକ ସ୍ଥିତିର ଯାଞ୍ଚ୍ କରାଯିବ ବୋଲି କହିଛି । ପ୍ରକାଶ, କିରଣ ନିଜ ଏଫଆଇଆର୍ରେ ଦର୍ଶାଇଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଥରେ ତାଙ୍କ ପତ୍ନୀ ସୁଷମା, ଝିଅ ଦୂତୀକୁ ନିକଟସ୍ଥ ଏକ ରେଲୱେ ଷ୍ଟେସନ୍ ନିକଟରେ ଛାଡ଼ି ଦେଇଆସିଥିଲେ । ଏସମ୍ପର୍କରେ ଜାଣିବା ପରେ କିରଣ ନିଜେ ଯାଇ ଷ୍ଟେସନ୍ରୁ ଝିଅକୁ ଖୋଜିକରି ଆଣିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *