ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪ା୮ (ବୁ୍ୟରୋ): ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ । ସେହିପରି ନୀତି ଆୟୋଗର ୭ମ ପରି·ଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
୬ ତାରିଖରେ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରି·ଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ । ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ସାମିଲ ହେବେ । ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ସହ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବା ସହ ରେଳ, ଟେଲିକମ୍ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି ରଖିବେ ବୋଲି ଆଶଙ୍କା କରାଯାଇଉଛି । ଏହାପୂର୍ବରୁ ଗତ ସପ୍ତାହରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଶ୍ରୀ ବେରୀ । ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ।