ପ୍ରତିଦିନ ୧ଠଠ କୋଟିର ଠକେଇ

ନୂଆଦିଲ୍ଲୀ, ୪ା୮: ଦେଶରେ ଡିଜିଟାଲ୍୍ ଦେଣ-ନେଣ କାରବାର ବଢିବା ସହିତ ଡିଜିଟାଲ୍ ପେମେଣ୍ଟ ଯୋଗୁଁ ବହୁ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି । ତା’ର କାରଣ ଡିଜିଟାଲ୍ କାରବାର ବଢିବା ସହିତ ଆର୍ଥିକ ଠକେଇ ବଢିଛି । ଏକ ସର୍ଭେରୁ ଜଣାପଡିଛି ଯେ ୪୨ ପ୍ରତିଶତ ଭାରତୀୟ ଗତ ୩ବର୍ଷ ଭିତରେ କେବେ ନା କେବେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ଲୋକଙ୍କୁ ହରାଇଥିବା ଟଙ୍କା ଫେରସ୍ତ ମିଳି ନାହିଁ ।
ଗତ ଅକ୍ଟୋବରରେ ଲୋକାଲ୍ସର୍କିଲ୍ସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁଯାୟୀ ୨୯ ପ୍ରତିଶତ ବ୍ୟକ୍ତି ନିଜ ଏଟିଏମ୍ ଡେଭିଡ୍ କାର୍ଡର ପିନ୍ ନମ୍ବର ସମ୍ପର୍କୀୟ ବା ଅତି ପରିଚିତ ଲୋକଙ୍କୁ ଦେଇଥାନ୍ତି । ୪ ପ୍ରତିଶତ ଲୋକ ପିନ୍ ନମ୍ବର ଘରେ କାମ କରୁଥିବା ବା ଅଫିସ୍ ସହକର୍ମୀଙ୍କୁ ଦେଇଥାନ୍ତି । ୩୩ ପ୍ରତିଶତ ନାଗରିକ ନିଜ ନିଜ ବ୍ୟାଙ୍କ ଆକାଉଣ୍ଟ, ଡେଭିଡ୍ ବା କ୍ରେଡିଟ୍ କାର୍ଡ ଓ ଏଟିଏମ୍ ପାସ୍ୱାର୍ଡ, ଆଧାର, ପ୍ୟାନ୍ ନମ୍ବର ଇ-ମେଲ୍ରେ ଅଥବା ନିଜ କମ୍ପୁ୍ୟଟରରେ ଷ୍ଟୋର୍ କରିଥାନ୍ତି । ୧୧ପ୍ରତିଶତ ନାଗରିକ ଏ ସମସ୍ତ ଟାଡା ନିଜ ମୋବାଇଲ୍ର କଣ୍ଟାକ୍ଟ ଲିଷ୍ଟରେ ଷ୍ଟୋର କରୁଥିବା ସର୍ଭେରୁ ଜଣାଯାଇଛି ।
ମାଇକ୍ରୋସଫ୍ଟ ୨୦୨୧ ଗ୍ଲୋବାଲ୍ ଟେକ୍ ସର୍ପୋଟ୍ ସ୍କାମ୍ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତରେ ଉପଭୋକ୍ତାମାନେ ୭୯ ପ୍ରତିଶତ ଅନ୍ଲାଇନ୍ ଫ୍ରଡ୍ର ସମ୍ମୁଖୀନ ହୋଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି, ୨୦୨୧-୨୨ରେ ୬୦୪୧୪ କୋଟି ଟଙ୍କାର ଆର୍ଥିକ ଠକେଇ ହୋଇଥିଲା । ଗତ ୭ବର୍ଷରେ ଭାରତୀୟମାନେ ଫିନାସିଆଲ୍ ଫ୍ରଡ୍ କାରଣରୁ ପ୍ରତିଦିନ ୧୦୦କୋଟି ଟଙ୍କା ହରାଇ ଆସୁଛନ୍ତି ।
ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରଡ୍, ଫ୍ଲାଇ ବାଇ ନାଇଟ୍ ଇ-କମର୍ସ ଅପରେଟର, କ୍ରେଡିଟ୍-ଡେଭିଡ୍ କାର୍ଡ ଫ୍ରଡ୍ ଜରିଆରେ ସବୁଠୁ ଅଧିକ ଠକେଇ ହୋଇଛି । ଏ କଥା ଲୋକାଲ୍ସର୍କିଲ୍ସ ସର୍ଭେରୁ ଜଣାଯାଇଛି । ରିଜର୍ଭ ବ୍ୟାଙ୍କ ଏପରି ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ଲୋକଙ୍କୁ କ୍ରମାଗତ ସଚେତନ କରାଇବା ସହ ଠକେଇର ଶିକାର ହେବା ମାତ୍ରେ ରିପୋର୍ଟ କରିବା ପାଇଁ ପରାମର୍ଶ ଦେଇଆସୁଛି । କିନ୍ତୁ ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୭ ପ୍ରତିଶତଙ୍କୁ ଟଙ୍କା ଫେରସ୍ତ ମିଳିଛି । ଅର୍ଥାତ୍ ଠକେଇ ସମ୍ପର୍କରେ ରିପୋର୍ଟ କରୁଥିବା ପ୍ରତି ୬ଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କ ଅଭିଯୋଗର ସମାଧାନ ହୋଇପାରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *