ସ୍କୁଲ କାମ ନିମ୍ନମାନର, ପାନୀୟ ଜଳ ବ୍ୟବସ୍ଥା ନାହିଁ
କୋଟଗଡ଼ (ଆପ୍ର): ରାଜ୍ୟ ସରକାର ବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଯୋଜନାମାନ କରୁଛନ୍ତି । କେଉଁଠି ୫ଟି ତ ପୁଣି କେଉଁଠି ମୋ ସ୍କୁଲ ଜରିଆରେ ବିଦ୍ୟାଳୟ ଉନ୍ନତୀକରଣ ହେଉଛି । କେଉଁଠି ବିଦ୍ୟାଳୟ କୋଠା ନିର୍ମାଣ ହେଉଛି ତ କେଉଁଠିି କୋଠାକୁ ଉନ୍ନତମାନରେ ସଜେଇବା ପାଇଁ ସରକାର ୫-ଟି ଜରିଆରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଥୀକରଣ ଅଭିଯାନର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଉପାନ୍ତ କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ଉଚ୍ଚ ବିଦ୍ୟାଳୟରେ । ୫-ଟି ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମିକୁ ଉନ୍ନତମାନର କରି ଗଢ଼ିବା ପାଇଁ ଲକ୍ଷାଧିକ ଟଙ୍କାର ପ୍ରୋଜେକ୍ଟ ଅନୁମୋଦନ ହୋଇଛି । କାମ ବି ଚାଲିଛି । କିନ୍ତୁ କାମ ଅତି ନିମ୍ନମାନର ହୋଇଥିବା ଅଞ୍ଚବାସୀ ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ କହୁଛନ୍ତି ପୂର୍ବରୁ ଭଲ ଥିଲା । ୫-ଟି କାମ ହେଲା ପରେ ସ୍କୁଲ ରାସ୍ତା କାଦୁଅ ସରସର ହୋଇଛି । କୋଠା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ନିମ୍ନମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ମଧ୍ୟାହ୍ନଭୋଜନ କରିବାକୁ ଘର ନାହିଁ । ଛାତ୍ର ଛାତ୍ରୀ ଯାତାୟାତ କରିବା ପାଇଁ ଭଲ ରାସ୍ତା ନାହିଁ । ବିଦ୍ୟାଳୟରେ ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ମଧ୍ୟାନ ଭୋଜନ ପରେ ନାଳ ପାଣିରେ ଛାତ୍ର ଛାତ୍ରୀ ବାସନ ଧୋଉଥିôବା ଦେଖିବାକୁ ମିଳୁଛି । ଝରକା କବାଟ ଠିକ ସେ ଲଗାଯାଇ ନାହିଁ । ଯେଉଁଠି ଲାଗିଛି ସେଠି ପ୍ଲାଷ୍ଟରିଂ ହୋଇନି । ଯାହା ଖୁବ୍ଶୀଘ୍ର ଭାଙ୍ଗି ଯିବାର ସମ୍ଭାବନା ରହିଛି । ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନମାନର କାମ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୁବର୍ଣ୍ଣଗିରି ସରପଞ୍ଚ ସନାତନ ପ୍ରଧାନ ସମେତ ଡେଙ୍ଗଲା ପୂଜାରୀ, ମିଳୁ ବଡ଼ସେଟ, ଦେବାଶିଷ ବେହେର ଦଳେଇ ପ୍ରମୂଖ ଦାବି କରୁଛନ୍ତି ।