ସଠିକ୍ ଯାଞ୍ଚ ଓ ଚାର୍ଜସିଟ୍ ଦାଖଲ ଉପରେ ଗୁରୁତ୍ୱ ଦିଅ
ଏସ୍ପିଙ୍କ ଅପରାଧ ସମୀକ୍ଷା ବୈଠକ
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ସମସ୍ତ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଓ ଥାନାଧିକାରୀ ଉପସ୍ଥିତ ଥିଲେ । ଜନତାଙ୍କ ସେବାରେ ପୁଲିସ ସବୁବେଳେ କାମ କରିବା ଆବଶ୍ୟକ । ଲୋକଙ୍କ ଅଭିଯୋଗର ସଠିକ ଯାଞ୍ଚ କରି ବିହିତ ପଦକ୍ଷେପ ନେବାକୁ ଏସ୍ପି ସମସ୍ତ ଥାନାଧିକାରୀଙ୍କୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି ।
ଅପରାଧିମାନେ ଗିରଫ ହୋଇ ଜେଲ୍ ଯିବା ପରେ ଖୁବ୍ କମ୍ ଦିନ ମଧ୍ୟରେ ଜେଲ୍ରୁ ମୁକୁଳି ପୁଣି ଅପରାଧ କରୁଛନ୍ତି । ତେଣୁ କୋର୍ଟରେ ବିଚାରଣା ହେବା ସମୟରେ ଥାନାଧିକାରୀ, କୋର୍ଟ କର୍ମଚାରୀ, ସରକାରୀ ଓକିଲଙ୍କ ସହ ବିଚାର ବିମର୍ସକରି ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ସହ ଦଣ୍ଡ ବିଧାନ ଉପରେ ଗୁରୁତ୍ୱଦେଇ କାର୍ଯ୍ୟ କରିବାକୁ ଏସ୍ପି କହିଥିଲେ । ପୁରୁଣା କେଶ୍ ଗୁଡିକୁ ତୁରନ୍ତ ଫଇସଲା କରିବା ସହ ଦିଆଯାଇଥିବା ଥାନାୱାରୀ କେଶ୍ ଟାର୍ଗେଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଅପରାଧିଙ୍କ ଗତିବିଧି ଉପରେ ନଜର ଦେବା ସହ ରାତ୍ରକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସେ କହିଛନ୍ତି । ପ୍ରଥମଥର ପାଇଁ ଅପରାଧ ସମୀକ୍ଷା ବୈଠକରେ ୨ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏମ୍କେସିଜିର ଫରେନ୍ସିକ୍ ମେଡିସିନ୍ ବିଭାଗର ମୁଖ୍ୟ ଡ.ସୁଦୀପ୍ତା ଦାସ ଓ ଆସୋସିଏଟ୍ ପ୍ରଫେସର ସହ ଆସିଷ୍ଟାଣ୍ଡ ପ୍ରଫେସରମାନେ ବୈଠକରେ ଯୋଗ ଦେଇ ଆଇନ୍ଗତ ମାମଲା ସହ ବଳାକ୍ରାର ଓ ପୋକ୍ସୋ ମାମଲାର ବିଚାରକୁ ପୁଲିସ ସହ ଡାକ୍ତରମାନଙ୍କ ଯୋଗସୂତ୍ର ମଜବୁତ୍ କରାଯିବା ନେଇ ଆଲୋଚନା କରିଥିଲେ । ସେହିପରି ୱାନ୍ ଷ୍ଟପ୍ ସେଣ୍ଟର, ସାକ୍ଷୀ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହଯୋଗରେ ଘରୋଇ ହିଂସା ଓ ପାରିବାରିକ ବିବାଦ ମାମଲାରେ ଉଚିତ ପରାମର୍ଶ ଦେଇ ବିବାଦର ସମାଧାନ ପାଇଁ ପୁଲିସ୍ ଓ ସେଣ୍ଟରର କର୍ମଚାରୀମାନେ ସାମନ୍ୱୟ ରକ୍ଷାକରି କିପରି କାର୍ଯ୍ୟ କରିବେ ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ ଓ ଅସୀମ ପଣ୍ଡା ଉପସ୍ଥିତ ଥିଲେ ।