ଚୀନ୍କୁ ମହଙ୍ଗା ପଡ଼ିବ ତାଇୱାନ୍ ସହ ଯୁଦ୍ଧ

ବେଜିଂ/ ତାଇପେଇ (ଏଜେନ୍ସି): ବାରମ୍ବାର ଧମକ ତଥା ବାରଣ ସତ୍ତ୍ୱେ ତାଇୱାନ୍ ସରକାର, ଆମେରିକା ସଂସଦ ବାଚସ୍ପତି ନାନ୍ସୀ ପେଲୋସିଙ୍କୁ ଅତିଥି ଭାବେ ସ୍ୱାଗତ କରିବାକୁ ନେଇ ଚୀନ୍ ଉତ୍କ୍ଷିପ୍ତ ହୋଇପଡିଛି । ପରିସ୍ଥିତି ଏବେ ଏପରି ହୋଇଛି ଯେ, ଚୀନ୍ ଯେକୌଣସି ମୁହୂର୍ତ୍ତରେ ତାଇୱାନ୍ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଚୀନ୍ର ପ୍ରାୟ ୨୭ଟି ଲଢ଼ୁଆ ବିମାନ ଏବେ ତାଇୱାନ୍ ଆକାଶ ସୀମାରେ ନିରନ୍ତର ପଇଁତରା ମାରୁଛନ୍ତି । ଏତଦ୍ବ୍ୟତୀତ ଚୀନ୍ ମଧ୍ୟ ସାମୁଦ୍ରିକସ୍ତରରେ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି । ପ୍ରାପ୍ତ ସୂଚନାନୁସାରେ ଚୀନ୍ର ବିଶାଳ ଡ୍ରାଗନ୍ ସେନା ଏବେ ତାଇୱାନ୍କୁ ଘେରି ରହିଥିବା ପ୍ରାୟ ୬ଟି ସ୍ଥାନରେ ସମରାଭ୍ୟାସ ଚଳାଇଛି । ଏପରିକି ତାଇୱାନ୍ ତଟବର୍ତ୍ତୀ ଅଞ୍ଚଳ ଠାରୁ ମାତ୍ର ୧୬କିମି ଦୂରବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଚୀନ୍ ସାମରିକ ଅଭ୍ୟାସ କରୁଛି । ତେବେ ଏସବୁ କରି ଚୀନ୍, ଆର୍ଟ ଅଫ୍ ୱାର ନୀତିରେ ତାଇୱାନ୍ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ତେବେ ଏସବୁ ମଧ୍ୟରେ ଯଦି ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ଯୁଦ୍ଧ ଘୋଷଣା ହୁଏ କିମ୍ବା ଚୀନ୍, ତାଇୱାନ୍ ଉପରେ ଅକସ୍ମାତ୍ ଆକ୍ରମଣ କରେ ତେବେ ପରିସ୍ଥିତି କ’ଣ ହେବ ସେନେଇ ବିଶ୍ୱସ୍ତରରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
ବିଶ୍ୱର ପ୍ରମୁଖ ସାମରିକ ବିଶେଷଜ୍ଞମାନଙ୍କ କହିବାନୁସାରେ ଯଦି ଚୀନ୍, ତାଇୱାନ୍ ଉପରେ ଆକ୍ରମଣ କରେ କିମ୍ବା ଯୁଦ୍ଧ ଆରମ୍ଭ କରେ ତେବେ ଏହା ଚୀନ୍ ପାଇଁ ବଡ଼ ବିଷମ ପରିସ୍ଥିତି ସୃଷ୍ଟି କରିବ । ସିଧାସଳଖ କହିଲେ ତାଇୱାନ୍ ସହ ଯୁଦ୍ଧ ଚୀନ୍କୁ ମହଙ୍ଗା ପଡ଼ିବ । କାରଣ ତାଇୱାନ୍କୁ ଯୁଦ୍ଧରେ ପରାସ୍ତ କରିବା ଚୀନ୍ ପାଇଁ ଏତେ ସହଜ ହେବ ନାହିଁ । ଏହାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି, ତାଇୱାନ୍ର ସାମରିକ ଟେକ୍ନୋଲୋଜି ଚୀନ୍ର ସାମରିକ ଟେକ୍ନୋଲୋଜି ଠାରୁ ଗୋଟିଏ ପାଦ ଆଗୁଆ ରହିଛି । ଚୀନ୍ର କୌଣସି ସାମରିକ କ୍ଷେତ୍ରରେ ସାମାନ୍ୟତମ ହଲ୍ଚଲ୍ ହେଲେ ତାଇୱାନ୍କୁ ଏହାର ସଂକେତ ମିଳିଯାଇଥାଏ । ଯେଉଁଥିପାଇଁ ତାଇୱାନ୍ ନିଜ ପ୍ରସ୍ତୁତିକୁ ଯଥେଷ୍ଟ ସମୟ ପୂର୍ବରୁ ହିଁ ଆରମ୍ଭ କରିପାରିବ । ଏତଦ୍ବ୍ୟତୀତ ତାଇୱାନ୍ ସେନାରେ ପ୍ରାୟ ୩୫ଲକ୍ଷ ତାଇୱାନୀ ସେନା ଯବାନ ଗୁରିଲା ଯୁଦ୍ଧରେ ପାରଙ୍ଗମ । ଏମାନେ ଚୀନ୍ର ବିଶାଳ ଡ୍ରାଗନ୍ ସେନାକୁ ଅତି ସହଜରେ ପରାସ୍ତ କରିବାର ସାମର୍ଥ୍ୟ ରଖୁଛନ୍ତି । ଏତଦ୍ବ୍ୟତୀତ ତାଇୱାନ୍ ସର୍ବଦା ଚୀନ୍କୁ ନିଜର ଶତ୍ରୁ ରାଷ୍ଟ୍ର ଭାବେ ବିବେଚନା କରୁଥିବାରୁ ପ୍ରଥମରୁ ହିଁ ଚୀନ୍ ପାଇଁ ୫ ସୂତ୍ରୀ ସାମରିକ ଯୋଜନା (ଷ୍ଟ୍ରାଟେଜୀ) ପ୍ରସ୍ତୁତ କରି ରଖିଛି । ୧ମ ଯୋଜନା ଭାବେ ଆମେରିକା ଠାରୁ ସାମରିକ ସହାୟତା, ୨ୟ ଯୋଜନା ଭାବେ ନିଜ ଟେକ୍ନୋଲୋଜିର ବ୍ୟବହାର ପୂର୍ବକ ପ୍ରତିରକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବା, ୩ୟ ଯୋଜନା (ପାର୍କୁପାଇନ୍ ଷ୍ଟ୍ରାଟେଜୀ ବା ଆସିମେଟ୍ରିକ୍ ୱାରଫେୟାର ମେଥଡ୍) ଭାବେ ପ୍ରତିପକ୍ଷ ଦେଶ ପାଇଁ ଯୁଦ୍ଧକୁ ମହଙ୍ଗା ତଥା କଠିନ କରିଦେବା, ୪ର୍ଥ ଯୋଜନା ଭାବେ ନିଜର ଶସ୍ତା ଏବଂ ହାଲ୍କା ସାମରିକ ଉପକରଣ ବ୍ୟବହାର କରି ପ୍ରତିପକ୍ଷ ଦେଶର ଦାମୀ ତଥା ବିଧ୍ୱଂସୀ ଉପକରଣ, ଯୁୂଦ୍ଧ ଜାହାଜ, ଲଢ଼ୁଆ ବିମାନ ଆଦିକୁ ଟାର୍ଗେଟ୍ କରି ନଷ୍ଟ କରିଦେବା ଏବଂ ୫ମରେ ନିଜ ଦୁର୍ଦ୍ଦଶ ଗୁରିଲା ସେନାକୁ ଯୁଦ୍ଧରେ ସାମିଲ କରିବା ।
ବାସ୍ତବରେ ଚୀନ୍ର ବିଶାଳ ସମ୍ମୁଖରେ ତାଇୱାନ୍ ସେନା ଅତ୍ୟନ୍ତ ସାମାନ୍ୟ ପ୍ରତୀତ ହେଉଛି । କିନ୍ତୁ ତାଇୱାନ୍ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଚୀନ୍ ସହ ବିବାଦ କାରଣରୁ ଆମେରିକା, ତାଇୱାନ୍ ପାଇଁ ଏକ ସୁରକ୍ଷା କବଚ ସାଜିବା ନିଶ୍ଚିତ । ଅର୍ଥାତ୍ ଚୀନ୍ ଯଦି ତାଇୱାନ୍ ଉପରେ ଆକ୍ରମଣ କରେ ତେବେ ଚୀନ୍ ସିଧାସଳଖ ଆମେରିକା ସହ ଯୁଦ୍ଧ ଘୋଷଣା କରିନେବା ବିବେଚନା କରାଯିବ । ନିଜ ଗସ୍ତ କାଳରେ ମଧ୍ୟ ନାନ୍ସୀ ପେଲୋସୀ, ତାଇୱାନ୍ ରାଷ୍ଟ୍ରପତି ତାଇ ଇଙ୍ଗ୍ ୱେନ୍ଙ୍କୁ ସବୁପ୍ରକାର ବିପଦରୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତାଇୱାନ ସହ ସବୁବେଳେ ଛିଡ଼ା ହେବୁ, ବନ୍ଧୁତାକୁ ମଜବୁତ କରିବୁ ବୋଲି ପେଲୋସୀ କହିଛନ୍ତି । ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ମଧ୍ୟ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଚୀନ୍ର ଯୁଦ୍ଧ ବିମାନ, ତାଇୱାନ୍ ସୀମାରେ ପ୍ରବେଶ କରିବା ମାତ୍ରେ ଆମେରିକା ସେନାର ଲଢ଼ୁଆ ବିମାନ ମଧ୍ୟ ଆକାଶ ମାର୍ଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି । ଏସବୁ ମଧ୍ୟରେ ଫିଲିପାଇନ୍ସ ପଟୁ ଆମେରିକା ନିଜ ସେନାକୁ ସଜାଗ କରିଦେଇଛି । ତାଇୱାନ୍ ଉପରେ ସାମାନ୍ୟତମ ଆକ୍ରମଣ ଆଭାସ ମିଳିବା ମାତ୍ରେ ପ୍ରତି ଆକ୍ରମଣ କରିବାକୁ ୟୁଏସ୍ ସେନାକୁ ନିଦେ୍ର୍ଦଶ ମିଳିସାରିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଚୀନ୍, ଆମେରିକାର ମୁକାବିଲା କରିବା ପାଇଁ ରୁଷ୍ ଏବଂ ପାକିସ୍ତାନର ସହଯୋଗ ନେଇପାରେ । ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ରୁଷ୍, ଆମେରିକା ଉପରେ ଉତ୍କ୍ଷିପ୍ତ ରହିଥିବା ବେଳେ ଚୀନ୍କୁ ହୁଏତ ସହଯୋଗ କରିପାରେ । ଅନ୍ୟପକ୍ଷେ ୟୁକ୍ରେନ୍ ସହ ଯୁଦ୍ଧ କାରଣରୁ ନିଜର ଖରାପ ହୋଇପଡିଥିବା ଆର୍ଥିକ ତଥା ସାମରିକ ସ୍ଥିତିକୁ ଦୃଷ୍ଟିରେ ରଖି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ହୁଏତ ଏଥିରୁ ଦୂରେଇ ରହିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *