ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ କୃତଜ୍ଞତା

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ
ଚୌଦ୍ୱାର (ଆପ୍ର): ଓଟିଏମ୍ ସମ୍ପର୍କରେ ଦୀର୍ଘଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ ଚୌଦ୍ୱାର ବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷିରେ ଚୌଦ୍ୱାର ବିଜୁ ଜନତା ଦଳ ତରଫରୁ ଏକ ଜନସଭାର ଆୟୋଜନ କରାଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହିତ ଓଟିଏମ୍ ସମ୍ପର୍କରେ ଏକ ଦୃଢ଼ ଓ ସାକାରାତ୍ମକ ନିଷ୍ପତ୍ତି ନେବାପାଇଁ ନିବେଦନ କରାଯାଇଛି । ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ାଙ୍କ ପୌରୋହିତ୍ୟରେ ଗାନ୍ଧୀ ଛକସ୍ଥିତ ପୌର ଟାଉନ୍ ହଲରେ ଏହି ଉପଲକ୍ଷେ ଆୟୋଜିତ ଜନସଭାରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଦୀର୍ଘ ୨୧ ବର୍ଷ ଧରି ବନ୍ଦ ପଡ଼ିଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ହାତଗଢ଼ା ଓଟିଏମ୍ର ଶ୍ରମିକ, କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟାଳୟରେ ଓଟିଏମ୍ ସମ୍ପର୍କିତ ମାମଲାର ତୁରନ୍ତ ବିଚାର ପାଇଁ ନିରନ୍ତର ପଦକ୍ଷେପ ନେଇଥିବା ଏବଂ ନ୍ୟାୟାଳୟଙ୍କ ସମସ୍ତ ସର୍ତ୍ତକୁ ସରକାର ମାନି ନେଇଥିବାରୁ ଶେଷରେ ଓଟିଏମ୍ ମାମଲାର ଶୁଣାଣି ସମ୍ଭବ ହୋଇ ପାରିଲା ବୋଲି ପ୍ରକାଶ କରି ଚୌଦ୍ୱାରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଜିଲା ବିଜେଡ଼ି ଉପ ସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ତାପସ ମହାନ୍ତି, ଯୁବ ସଭାପତି ଅର୍ଜୁନ ପଣ୍ଡା, କାଉନସିଲର ସୁବ୍ରତ ସାମଲ, ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ, ଅଜୟ ବେହେରା, କରୁଣାକର ସାହୁ, ବିଜୟ କୁମାର ମଲ୍ଲିକଙ୍କ ସମେତ ସମସ୍ତ କାଉନସିଲର, ଛାତ୍ରନେତା ଭାସ୍କର ସାହୁ ଆଦିଙ୍କ ସମେତ ମହିଳା ଅନୁଷ୍ଠାନର ସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ଓଟିଏମ୍ର ପୁନରୁଦ୍ଧାର କିମ୍ବା ଉକ୍ତ ସ୍ଥାନରେ ବିକଳ୍ପ ବୟନ ଶିଳ୍ପ ପ୍ରତିଷ୍ଠା କରି ବିଜୁ ବାବୁଙ୍କ ମାନ ରଖିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ôଫଟୋରେ ମାଲ୍ୟାର୍ପଣ କରାଯାଇ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉପାଧ୍ୟକ୍ଷ ଶ୍ରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଟିଏମ୍ର ବହୁ ସଂଖ୍ୟକ ଶ୍ରମିକ, ସେମାନଙ୍କ ପରିବାର, ବିଭିନ୍ନ ମହିଳା ଅନୁଷ୍ଠାନର ସଦସ୍ୟା, ବହୁ ଦଳୀୟ କର୍ମୀ, ତଥା ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *