ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲିବ ସରକାରୀ ଆଇଟିଆଇ
ଭୁବନେଶ୍ୱର, ୩ା୮ (ବୁ୍ୟରୋ): ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ପର୍ଯ୍ୟାୟ କ୍ରମେ ତାଲିମ ଅନୁଷ୍ଠାନ ନିର୍ମାଣ ହେଉଛି । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲିବ । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ୱାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବ ସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ୪ଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ । ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ସେହିପରି ବଲାଙ୍ଗୀରର ପାଟଣାଗଡରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକର ଯୁବକ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ହେବା ସହ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୨୫୧ଟି ବ୍ଲକ୍ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ରହିଛି । ସେହିଭଳି ୫୮ଟି ସବଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଭୁବନେଶ୍ୱରରେ ପ୍ରତିଷ୍ଠିତ ୱାଲ୍ଡ ସ୍କିଲ୍ ସେଣ୍ଟର ଯୁବ ସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି ।