କାମରେ ଲାଗୁନି ଉଠା ଜଳସେଚନ ପ୍ରକଳ୍ପ
ନାଉଗାଁ (ଆପ୍ର): ଶ୍ରାବଣ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ନାଉଗାଁ ବ୍ଲକ୍ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବ୍ଲକ୍ର ଅଲଣା, ଗଜରାଜପୁର, ନୂଆଗାଁ, ଜାମୁଗାଁ, ଘୋଡାଂଶ, ରୋହିଆ ଆଦି ପଂଚାୟତର ଚାଷୀମାନେ ଚାଷ କାର୍ଯ୍ୟ ପାଇଁ କେନାଲ ପାଣି ଉପରେ ନିର୍ଭର କରୁଥିବା ବେଳେ ଘୋଡାଂଶ, ରୋହିଆ, ବଛାଳୋ, ନାଉଗାଁ, ବାଂଶ, କୋରୁଅ, ଡେରିକି, ଓଷକଣା, ତିରୁଣା ଆଦି ପଞ୍ଚାୟତର ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ଉଠା ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି । ଜଳସେଚନ ବିଭାଗ ପକ୍ଷରୁ କେନାଲ ଗୁଡିକୁ ସଫା କରାଯାଇ ପାଣି ଛଡା ଯାଉଥିବା ବେଳେ ଉଠା ଜଳସେଚନ ବିଭାଗୀୟ ଅଧିକାରୀଙ୍କର ଏଥିପ୍ରତି ତତ୍ପରତା ନ ଥିବା ଜଣାଯାଇଛି । ଫଳରେ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏପରିକି ପ୍ରକଳ୍ପ ଘର ଉପରେ ଘାସ ଲତା ମାଡି ଯାଇଥିବା ଦେଖିବାକୁ ମିଳୁଛି ।
ଉଠା ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରିଆସୁଥିବା ଚାଷୀମାନେ ଏବେ ହା ହତାଶ ଭିତରେ ରହୁଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ବ୍ଲକ୍ରେ ମୋଟ ୯୨ଟି ଉଠା ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ସେଥିରୁ ୬୦ ଟି ପ୍ରକଳ୍ପ ସଚଳ ଅବସ୍ଥାରେ ରହିଥିବା ବେଳେ ଅବଶିଷ୍ଟ ୩୨ ଟି ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସଚଳ ଥିବା ପ୍ରକଳ୍ପ ଗୁଡିକ ମଧ୍ୟ ଚାଷୀଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଉକ୍ତ ପ୍ରକଳ୍ପ ଗୁଡିକ ପରିଚାଳନା କରାଯିବା ପାଇଁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଉଛି । କିନ୍ତୁ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ଗୁଡିକୁ ଉପଯୁକ୍ତ ସଚେତନ କରା ନ ଯିବାରୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ନ ହୋଇ ପଡିରହୁଛି । ଯାହାଫଳରେ ମରୁଡି ସମୟରେ ଚାଷୀମାନେ ଚାଷ କାର୍ଯ୍ୟରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟରେ ଉଠା ଜଳସେଚନ ବିଭାଗୀୟ ଅଧିକାରୀମାନେ ନିଜର ଦୋଷକୁ ଲୁଚାଇବା ପାଇଁ ପାଣି ପଞ୍ଚାୟତ ଉପରେ ସବୁ ଦୋଷ ଲଦି ନିଜେ ଖସିଯିବା ପାଇଁ ପ୍ରୟାସ ଜାରୀ ରଖିଥିବା ଚାଷୀମାନେ କହିଛନ୍ତି । ଚାଷୀଙ୍କ ହିତ ସାଧନ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉଠା ଜଳସେଚନ ପ୍ରକଳ୍ପମାନ ନିର୍ମାଣ କରି ଚାଷ ଜମିକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ବେଳେ, ବିଭାଗୀୟ ଅଧିକାରୀଙ୍କ ପାଇଁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଏହି ସବୁ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଏଆଇକେକେଏମଏସର ସଦସ୍ୟ ସୁବାସ ସ୍ୱାଇଁ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, କୈଳାଶ ପରିଡା ପ୍ରମୁଖ ଦାବି କରିଛନ୍ତି ।