ଚଳିତବର୍ଷ ହେବ କି ରଘୁନାଥ ବେଶ?

ପୁରୀ (ବୁ୍ୟରୋ): ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି । ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା ବୈଠକରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରିଚାଳନା ବୈଠକ ଆସନ୍ତା ୬ ତାରିଖ ଅର୍ଥାତ୍ ଶନିବାରକୁ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି । ଚଳିତଥର ମହାପ୍ରଭୁଙ୍କ ରଘୁନାଥ ବେଶ ସମ୍ପର୍କରେ କ’ଣ ନିଷ୍ପତ୍ତି ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
ଦୀର୍ଘ ୧୧୭ ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ଭକ୍ତମାନେ ଆଶାପ୍ରକଟ କରିଛନ୍ତି । ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଭଳି ରଘୁନାଥ ବେଶ । ମର୍ଯାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ । ଅଗଣିତ ଭକ୍ତ ଦୀର୍ଘ ବର୍ଷ ବର୍ଷ ଧରି ଏହି ଦର୍ଶନରୁ ବଞ୍ଚିତ ରହିଛନ୍ତି । ଦେଶ ସ୍ୱାଧୀନ ହେବା ପରେ କୌଣସି ସରକାର ଏହି ବେଶ କରିବାରେ ସମର୍ଥ ହୋଇପାରିନାହାନ୍ତି । ରେକର୍ଡ ଅନୁସାରେ ୧୫୭୭ ଖ୍ରୀଷ୍ଟାଦ୍ଦରୁ ୧୯୦୫ ମସିହା ମଧ୍ୟରେ ୯ଥର ଅନୁଷ୍ଠିତ ହୋଇଥିଲା ରଘୁନାଥ ବେଶ । ଏବେ ପୁଣିଥରେ ଏହି ବେଶ ଚଳିତବର୍ଷ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି । ବେଶ ହେବା ପାଇଁ ଭିତର ରତ୍ନଭଣ୍ଡାରରୁ ମହଣ ମହଣ ସୁନା ଅଣାଯିବ । ଭିତର ରତ୍ନଭଣ୍ଡାର ଖୋଲା ହେବ କି ନାହିଁ ସେ ନେଇ ଆସନ୍ତା ୬ ତାରିଖ ପରିଚାଳନା ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଭିତର ରତ୍ନଭଣ୍ଡାର ଖୋଲିବା ଘଟଣାକୁ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିବା ବେଳେ ଚଳିତଥର ରତ୍ନଭଣ୍ଡାର ଖୋଲୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।
ଏହି ବେଶ ବୈଶାଖ ମାସ ରାମାଭିଷେକ ଦିନ ପୁଷ୍ୟା ନକ୍ଷତ୍ର ଓ କର୍କଟ ରାଶି ଏକସମୟରେ ପଡ଼ିଲେ ସେହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାପ୍ରଭୁ ହୀରା, ନୀଳା, ମୋତି ମାଣିକରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି । ସୁବର୍ଣ୍ଣର ଧନୁଶର ଧାରଣ କରିଥାନ୍ତି । ଶ୍ରୀଜଗନ୍ନାଥ ଶ୍ରୀରାମ ବେଶରେ ସୁସଜ୍ଜିତ ହୋଇଥିବା ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ନୀତି ସମୟରେ ରତ୍ନସିଂହାସନ ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ହୋଇଥାଏ ଶ୍ରୀରାମଙ୍କ ଦରବାର । ରତ୍ନସିଂହାସନ ଭଳି କାଠରେ ନିର୍ମିତ ହେବ ଆଉ ଏକ ସିଂହାସନ । ସେଥିରେ ହନୁମାନ, ସୁଗ୍ରୀବ, ନଳ, ନୀଳ, ଜାମ୍ବବାନ ଓ ବିଭୀଷଣ ଆଦି ରାଜପରିଷଦ ବର୍ଗ ବସିବାର ବ୍ୟବସ୍ଥା କରାଯିବ । ଯଦି ଚଳିତବର୍ଷ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହୁଏ ତେବେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *