ଜଗନ୍ନାଥପୁର ଡାକ୍ତରଖାନାରେ ସନ୍ଧ୍ୟାରେ ତାଲା
ମାହାଙ୍ଗା (ଆପ୍ର): ୨୦୧୮ରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଜଗନ୍ନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏହାକୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ର୍ର୍ର୍ର୍ରଦାନ କରାଯାଇଛି କି ନାହିଁ ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଯଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଛି ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସନ୍ଧ୍ୟା ସମୟରେ ବନ୍ଦ ରହୁଛି କାହିଁକି ବୋଲି ପ୍ରଶ୍ନ ଉଠିଛି ।
ସୂଚନାରୁ ଜଣାପଡିଛି ଏହି ସରକାରୀ ଡାକ୍ତରଖାନାରେ ୩ଜଣ ଡାକ୍ତରଙ୍କ ସହିତ ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ନିଯୁକ୍ତି ପାଇଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ ସୂଚନା ଦେଇଥିଲେ ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାରେ ସରକାରୀ ସ୍ତରରେ ମାନ୍ୟତା ଦିଆଯାଇଛି । ହେଲେ ଏଠାରେ ଉପଯୁକ୍ତ ଭିତ୍ତିଭୂମି ଓ ମାନବ ସମ୍ବଳ ଯୋଗାଇ ଦିଆଯାଇ ନାହିଁ । ଖାଲି ଘୋଷଣା କରିଦେଲେ ଯେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ ବୋଲି ସେ ମତ ଦେଇଥିଲେ ।
ଅନ୍ୟ ଏକ ସୂଚନାରୁ ଜଣାପଡିଛି ଯେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଫ୍ଆର୍ୟୁ ଷ୍ଟାଫ୍ ରେଫେରାଲ୍ ୟୁନିଟ୍ ହୋଇଥିଲେ ମଧ୍ୟ ୪ ସ୍ପେଶାଲିଷ୍ଟ ପଦବୀ ଖାଲି ପଡିଛି । ୧୨ ବର୍ଷ ହେଲା ଭେଷଜ ଡାକ୍ତର ପଦବୀ, ୧୦ବର୍ଷ ହେଲା ଶଲ୍ୟ ବିଭାଗ, ୨ବର୍ଷ ହେଲା ଶିଶୁ ବିଭାଗ ଏବଂ ୨ବର୍ଷ ହେଲା ମହିଳା ବିଭାଗର ସ୍ପେଶାଲିଷ୍ଟ ନାହାନ୍ତି । ତାହେଲେ ଗ୍ରାମଞ୍ଚଳରେ କିଭଳି ଭାବେ ସ୍ୱାସ୍ଥ୍ୟସେବା ଚାଲିଛି ତାହା ବେଶ୍ ବିଚାରଯୋଗ୍ୟ । ଏଣୁ ରାଜ୍ୟ ସରକାର ପ୍ରଥମେ ମାହାଙ୍ଗା ଅଞ୍ଚଳରେ ଥିବା ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକୀୟ ଡାକ୍ତର, କର୍ମଚାରୀ ଓ ଉନ୍ନତଧରଣ ଯନ୍ତ୍ରପାତି ଯୋଗାଇ ଦେବାକୁ ସର୍ବ ସାଧାରଣରେ ଦାବି ହେଉଛି ।