ପୁରୁଷ ହକି ସେମିରେ ଭାରତ

ବର୍ମିଂହାମ୍, ୪ା୮ (ଏଜେନ୍ସି): ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ସପ୍ତମ ଦିବସରେ ଭାରତୀୟ ପୁରୁଷ ହକି ଟିମ୍ ନିଜ ଶେଷ ଲିଗ୍ ମ୍ୟାଚ୍ରେ ୱେଲ୍ସକୁ ୪-୧ରେ ପରାସ୍ତ କରିଛି । ଏଥି ସହିତ ଭାରତ ସପ୍ତମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍ରେ ସ୍ଥାନ ପାଇଛି । ଏହା ପୂର୍ବରୁ ଭାରତୀୟ ଟିମ୍ ୧୯୯୮, ୨୦୧୦, ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍ ଯାଏଁ ଯାଇଥିବା ବେଳେ ୨୦୧୦ ଓ ୨୦୧୪ରେ ଭାରତୀୟ ଟିମ୍ ଫାଇନାଲ୍କୁ ଉନ୍ନୀତ ହୋଇଥିଲା ।
ମନପ୍ରୀତ ସିଂହଙ୍କ ଟିମ୍ ଏ ଯାବତ୍ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଟିମ୍ ପ୍ରଥମ ମ୍ୟାଚ୍ରେ ଘାନାକୁ ୧୧-୦ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ୪-୪ ଡ୍ର’ ଖେଳିଥିଲା । ଏହାପରେ ତୃତୀୟ ମ୍ୟାଚ୍ରେ କାନାଡ଼ାକୁ ୮-୦ରେ ମାତ୍ ଦେଇଥିଲା ।
ୱେଲ୍ସ ବିପକ୍ଷରେ ଭାରତ ପକ୍ଷରୁ ଉପ-ଅଧିନାୟକ ହରପ୍ରୀତ ସିଂହ ସର୍ବାଧିକ ତିନିଟି ଗୋଲ୍ ସ୍କୋର୍ କରିଥିଲେ । ସେ ବର୍ମିଂହାମ୍ରେ ଦ୍ୱିତୀୟ ଥର ଗୋଲ୍ରେ ହାଟ୍ରିକ୍ କରିଥିଲେ । ଏହା ପୂର୍ବରୁ ଘାନା ବିପକ୍ଷ ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ହରମନପ୍ରୀତ ତିନିଟି ଗୋଲ୍ ଦେଇଥିଲେ । ହରମନପ୍ରୀତ ଦୁଇଟି ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଓ ଗୋଟିଏ ଗୋଲ୍ ପେନାଲ୍ଟି ଷ୍ଟ୍ରୋକ୍ରୁ କରିଥିଲେ । ଅନ୍ୟ ଏକ ଗୋଲ୍ ଗୁରଜନ୍ତ ସିଂହ ଦେଇଥିଲେ । ୱେଲ୍ସ ପକ୍ଷରୁ ଗାରେଥ୍ ଫରଲୋଙ୍ଗ୍ ଏକମାତ୍ର ଗୋଲ୍ ଡ୍ରାଗ୍ଫ୍ଲିକ୍ରୁ ଦେଇଥିଲେ ।
ଗୋଲ୍ଶୂନ୍ୟ ଥିଲା ପ୍ରଥମ କ୍ୱାର୍ଟର
ପ୍ରଥମ କ୍ୱାର୍ଟରରେ କେହି କାହାରି ବିପକ୍ଷରେ ଗୋଲ୍ ଦେଇ ପାରି ନ ଥିଲେ । ଅଷ୍ଟମ ମିନିଟ୍ରେ ଲଳିତ ଉପାଧ୍ୟାୟ ସୁନ୍ଦର ସଟ୍ ଲଗାଇଥିଲେ, ହେଲେ ୱେଲ୍ସ ଗୋଲ୍କିପର୍ ଏହାକୁ ଅଟକାଇ ଦେଇଥିଲେ । ଏହାର ପର ମିନିଟ୍ରେ ୱେଲ୍ସକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା; କିନ୍ତୁ ଏହି ପ୍ରୟାସ ନିଷ୍ଫଳ ହୋଇଥିଲା । ୧୦ମ ମିନିଟ୍ରେ ୱେଲ୍ସର ଜେମ୍ସ କାର୍ସନ ଭାରତୀୟ ରକ୍ଷଣଭାଗକୁ ଭେଦ କରିପାରି ନ ଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ଦୁଇଟି ଗୋଲ୍
ଭାରତକୁ ୧୮ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏଥିରୁ ହରମନପ୍ରୀତ ସିଂହ ଚିତ୍ତାକର୍ଷକ ଗୋଲ୍ ଦେଇଥିଲେ । ଏହା ପର ମିନିଟ୍ରେ ଭାରତକୁ ଆଉ ଏକ ପିସି ମିଳିଥିଲା । ଏହାକୁ ବି ହରମନପ୍ରୀତ ଗୋଲ୍ରେ ପରିଣତ କରିବାରୁ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ମଧ୍ୟାନ୍ତର ସୁଦ୍ଧା ଏହି ସ୍ଥିତି ବଳବତ୍ତର ରହିଥିଲା ।
ତୃତୀୟ କ୍ୱାର୍ଟରରେ ହରମନପ୍ରୀତଙ୍କ ହାଟ୍ରିକ୍
ତୃତୀୟ କ୍ୱାର୍ଟରରେ ୱେଲ୍ସ କାଉଣ୍ଟର ଆଟାକ୍ କରିଥିଲା । ତେବେ ସେମାନଙ୍କର ପ୍ରତି ପ୍ରୟାସକୁ ଭାରତୀୟ ରକ୍ଷଣଭାଗ ଖେଳାଳି ବିଫଳ କରିଦେଇଥିଲେ । ୪୧ତମ ମିନିଟ୍ରେ ପିସିରେ ଲଳିତ ଉପାଧ୍ୟାୟଙ୍କ ଡିଫ୍ଲେକ୍ସନ୍କୁ ୱେଲ୍ସ ଖେଳାଳି ଦେହରେ ଅଟକାଇ ଦେଇଥିଲେ । ଏହାଫଳରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା । ହରମନପ୍ରୀତ ଏଥିରୁ ଗୋଲ୍ କରି ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ ।
ଚତୁର୍ଥ କ୍ୱାର୍ଟରରେ ଗୁରଜନ୍ତ ଦେଲେ ଗୋଲ୍
ଚତୁର୍ଥ କ୍ୱାର୍ଟରରେ ଗୁରଜନ୍ତ ସିଂହ ୪୯ତମ ମିନିଟ୍ରେ ଚମକ୍ପ୍ରଦ ଫିଲ୍ଡ ଗୋଲ୍ ଦେଇଥିଲେ ଏବଂ ଭାରତ ଚାରି ଗୋଲ୍ରେ ଆଗରେ ରହିଥିଲା । ଏହାପରେ ୱେଲ୍ସ ପ୍ରତ୍ୟାବର୍ତ୍ତନ କରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲା ଏବଂ ୫୫ତମ ମିନିଟ୍ରେ ଗାରେଥ୍ ପିସିରୁ ଗୋଲ୍ କରି ସ୍କୋର୍ ବ୍ୟବଧାନରେ ସାମାନ୍ୟ ହ୍ରାସ କରିଥିଲେ । ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଭାରତ ଶେଷ ବେଳକୁ ଦୃଢ଼ ପ୍ରଦର୍ଶନ କରି ଗୋଲ୍ ହେବାକୁ ଦେଇ ନ ଥିଲା ।
ପୁଲ୍-ବି’ରେ ଭାରତ ସର୍ବାଗ୍ରେ
କାନାଡ଼ା ବିପକ୍ଷ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ନିଜ ଗ୍ରୁପ୍ (ପୁଲ୍-ବି)ରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲା । ୱେଲ୍ସ ବିପକ୍ଷ ବିଜୟ ଭାରତର ପ୍ରଥମ ସ୍ଥାନକୁ ଆହୁରି ମଜଭୁତ କରିଦେଇଛି । ମନପ୍ରୀତଙ୍କ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ଚାରି ମ୍ୟାଚ୍ରୁ ୧୦ ପଏଣ୍ଟ ପାଇଛି ଏବଂ ଟିମ୍ର ଗୋଲ୍ ବ୍ୟବଧାନ +୨୨ ।
ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡର ଗୋଲ୍ ବ୍ୟବଧାନ +୮ । ଇଂଲଣ୍ଡର କାନାଡ଼ା ବିପକ୍ଷରେ ଗୋଟିଏ ମ୍ୟାଚ୍ ବାକି ଅଛି । ଆୟୋଜକ ଟିମ୍କୁ ଗ୍ରୁପ୍ ଟପ୍ପର ହେବା ପାଇଁ ୧୫ ଗୋଲ୍ ଦେବାକୁ ହେବ । ଏମିତି ନ ହୋଇପାରିଲେ, ଭାରତୀୟ ଟିମ୍ ଗ୍ରୁପ୍-ବି’ରେ ଶୀର୍ଷରେହିଁ ରହିବ । ଏପରିସ୍ଥଳେ ଭାରତ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ସାମ୍ନା କରିବନି । ପରାଜୟ ସହ ୱେଲ୍ସ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବିଦାୟ ନେଇଛି । ଗ୍ରୁପ୍-ଏ’ରେ ଅଷ୍ଟ୍ରେଲୀୟ ଟିମ୍ ଶୀର୍ଷରେ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *