ମୁହାଣରୁ ବାଲି ଖନନ ଆରମ୍ଭ
ମତ୍ସ୍ୟଜୀବୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର (ବୁ୍ୟରୋ): ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳବାସୀଙ୍କ ବିକାଶରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି । ସେମାନଙ୍କ ଦୀର୍ଘଦିନର ଦାବି ଏବେ ବାସ୍ତବ ରୂପ ନେଇଛି । ପ୍ରତିଶ୍ରୁତି ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟଜୀବୀଙ୍କୁ ସ୍ୱତନ୍ତ୍ର ଭେଟି ଦେଇଛନ୍ତି । ମାର୍କଣ୍ଡିଠାରେ ସାପୁଆ ନାଳ-ବଙ୍ଗୋପସାଗର ମୁହାଣ ସଂଯୋଗୀକରଣ କ୍ଷେତ୍ରରେ ବାଲି ଖନନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଡ.ଗୋପବନ୍ଧୁ ଦାଶ । ୭କୋଟି ଟଙ୍କାର ଏହି ପ୍ରକଳ୍ପ କାମ ଡ୍ରେଜିଂ ମେଶିନ୍ ଦ୍ୱାରା ନାଳ ଓ ସମୁଦ୍ର ମଧ୍ୟରେ ମୁହାଣ ଶଯ୍ୟାକୁ ଅଧିକ ଖନନ କରି ଜଳ ନିଷ୍କାସନକୁ ସୁଗମ କରିବ । ଏଥିସହ ବାତ୍ୟା ଓ ବନ୍ୟା ସମୟରେ ସମୁଦ୍ରକୂଳରୁ ଡଙ୍ଗାଗୁଡିକୁ ଉଦ୍ଧାର କରିହେବ ।
ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ ଓ ତଅପୋଇ ଦାସ, ଏବିଡିଓ ତ୍ରିପତୀ ବାଲାଜୀ ସାମନ୍ତରାୟ, ବ୍ଲକ୍ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ବ୍ଲକ୍ ବିଜେଡି ସଭାପତି ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ୍ ନିର୍ବାହୀଯନ୍ତ୍ରୀ ଇଂ.ସିଦ୍ଧାର୍ଥ ଶେଖରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ବ୍ରହ୍ମପୁରରୁ ବଙ୍ଗୋପସାଗରକୁ ଲମ୍ବିଥିବା ବାହାନା ନାଳ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳ ଦେଇ ସମୁଦ୍ରରେ ମିଶିଛି । ତେବେ ବର୍ଷା ଦିନେ ବାହାନା ନାଳ ମାର୍କଣ୍ଡି ଅଞ୍ଚଳବାସୀଙ୍କ ଦୁଃଖର କାରଣ ପାଲଟୁଥିଲା । ବାତ୍ୟା କିମ୍ବା ଲଘୁଚାପଜନିତ ପ୍ରବଳ ବର୍ଷା ହେଲେ ବାହାନା ନାଳର ଉଦ୍ବୃତ୍ତ ଜଳ ଠିକ୍ ଭାବେ ସମୁଦ୍ରକୁ ନିଷ୍କାସିତ ହୋଇ ନ ପାରି ମାର୍କଣ୍ଡି ଅଞ୍ଚଳର ଜମିକୁ ମାଡ଼ବାରୁ ଫସଲ ବରବାଦ ହୋଇ ଯାଉଥିଲା । ଏହାର ପ୍ରତିକାର ପାଇଁ ୨୦୨୧ ଡିସେମ୍ବର ୨୫ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ୭କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟରେ ସମୁଦ୍ର ମୁହାଣ ଖନନ ପାଇଁ ଶୁଭ ଦେଇଥିଲେ । ଯଦ୍ଦ୍ୱାରା ମତ୍ସ୍ୟଜୀବୀଙ୍କ ଯାତାୟାତ ସମସ୍ୟାର ସମାଧାନ ସହିତ ବର୍ଷା ଦିନେ ବନ୍ୟା ତଥା ଜଳବନ୍ଦୀ ସମସ୍ୟା ସୁଧୁରିଯିବା ସହିତ ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ଉପକୃତ ହେବେ । ମୁହାଣ ଖନନ ସହ ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ହେବା ଦ୍ୱାରା ଆଉ ଚାଷୀ କିମ୍ବା ମତ୍ସ୍ୟଜୀବୀ କ୍ଷତି ସହିବେନି । ମାର୍କଣ୍ଡି ଅଞ୍ଚଳବାସୀଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକ୍ବାସୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଇ ପ୍ରକଳ୍ପକୁ ମଞ୍ଜୁରୀ କରାଇବା ପଛରେ ଥିଲା ଡ.ଦାଶଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେମାନଙ୍କ ସମସ୍ୟା ସମାଧାନର ମାର୍ଗ ପ୍ରଶସ୍ତ କରି ଦେଇଥିବାରୁ ମତ୍ସଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କାର୍ଯ୍ୟକ୍ରମରେ ଓଏସ୍ଡି ଡ.ଦାଶଙ୍କ ସମେତ ବିଏମ୍ସି ଡେପୁଟି ମେୟର ଇ.ବିବେକ ରେଡ୍ଡି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ବ୍ଲକ୍ ବିଜେଡି ସଭାପତି ଅଜିତ୍ ଦାସ, ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ସଭ୍ୟ ଦୀପକ ସାମନ୍ତଙ୍କ ସମେତ ବ୍ଲକ୍ର ବହୁ ବିଜେଡି ନେତା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ।