୧୧ ପ୍ରକଳ୍ପ ଅନୁମୋଦିତ
୨୨୫୩.୧୫ କୋଟିର ପୁଞ୍ଜିନିବେଶ ସହ ୩,୮୧୭ ଜଣଙ୍କ ନିଯୁକ୍ତି ଲକ୍ଷ୍ୟ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୧ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୨୫୩.୧୫ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୮୧୭ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ଜଣାପଡ଼ିଛି ।
ଡ଼ିଜିଟାଲ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ, ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍, ବୈଦୁତିକ ପଦାର୍ଥ ଉତ୍ପାଦନ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ।
ସୁନ୍ଦରଗଡ଼ରେ ଆଇରନ୍ ୱର୍ ପ୍ଲାଣ୍ଟ ପାଇଁ ୫୩୩ କୋଟି ଟଙ୍କା ନିବେଶ ହେବ । ଏଥିରେ ୧୦୨୯ ଜଣଙ୍କୁ ନିଯୁକ୍ତି ମିଳିବ । ସୁନ୍ଦରଗଡ଼ରେ ଫରୋ ଆଲାୟଜ୍ ପ୍ଲାଣ୍ଟ ହେବ । ଏଥିରେ ୫୨୦ କୋଟି ଟଙ୍କାର ପ୍ରକଳ୍ପରେ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି କେନ୍ଦୁଝରରେ କଲର କୋଟେଡ ଟିଏମ୍ଟି ପ୍ଲାଣ୍ଟରେ ମଧ୍ୟ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ, ପ୍ରକଳ୍ପରେ ୧୭୫ କୋଟି ଟଙ୍କା ବିନିଯୋଗ ହେବ । ସେହିପରି ସମ୍ବଲପୁରରେ ତରଳ ଆଲୁମିନିୟମ ଅଏଲ ପ୍ଲାଣ୍ଟରେ ୧୦୦ କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡ଼ିଛି ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସମ୍ପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର ସଠିକ୍ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପାନୁଷ୍ଠାନମାନେ ଯେପରି ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବେ ତାହା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ (ସ୍କିଲଡ୍ ଇନ୍ ଓଡିଶା) ଯୁବକ ଯୁବତୀଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ବହୁ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।