ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ
ଯୁବକଙ୍କୁ ହତ୍ୟା ଅଭିଯୋଗ
ରାଜନଗର (ଆପ୍ର): ରାଜନଗର ଥାନା ଧୋବେଇଗଡ ଗାଁର ଗୁରୁବାରୀ ରାଉତଙ୍କ ପୁଅ ସଂଜୟ ରାଉତ ଗତ ୨୬ ତାରିଖରେ ପ୍ରାଣ ହରାଇଥିଲେ । ତାଙ୍କ ବାପା ପୁଅକୁ ସାପ କାମୁଡିଛି ବୋଲି ଥାନାରେ ଅଭିଯୋଗ କରିବା ପରେ ଅପମୃତୁ୍ୟ ମାମଲା ରୁଜୁ ହୋଇଥିଲା । ଗୋଟିଏ ଦିନ ପରେ ସଂଜୟଙ୍କ ବଡଭଉଣୀ ଉର୍ମିଳା ପାତ୍ର ସଂଜୟଙ୍କୁ ମାରି ଦିଆଯାଇଛି ବୋଲି ଅନ୍ୟ ଏକ ଅଭିଯୋଗ କରିଥିଲେ ।
ଅଭିଯୋଗ ମୁତାବକ ତାଙ୍କ ସାନଭାଇ ସଂଜୟ ପଡୋଶୀ ଗଣେଶ ରାଉତଙ୍କ ଝିଅକୁ ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ଭଲ ପାଇବା ସହ ବିବାହ କରିବାକୁ ମନସ୍ଥ କରିଥିଲେ । ମାତ୍ର ଗଣେଶ ଓ ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଏ ନେଇ ପୂର୍ବରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ସଂଜୟଙ୍କ ମୃତୁ୍ୟର ଦୁଇ ଦିନ ପୂର୍ବରୁ ଗଣେଶ ସଂଜୟଙ୍କୁ ଡାକି ମୋ ଉପରେ ରାଗ ନାହିଁ କହି ପ୍ରଲୋଭିତ କରିଥିଲେ ଏବଂ ତାଙ୍କ ଘରକୁ ଖାଇବାକୁ ଡାକିଥିଲେ । ବହୁ ରାତି ପର୍ଯ୍ୟନ୍ତ ସଂଜୟ ଘରକୁ ଫେରିନଥିଲେ । ତା’ପରେ ଆମେ ଜାଣିବାକୁ ପାଇଲୁ ଯେ ସେମାନେ ସଂଜୟଙ୍କୁ ମାରି ଆମ ଗ୍ରୀଲ୍ରେ ଟଙ୍ଗାଇ ଦେଇଛନ୍ତି । ପୁଅ ମରିବା ପରେ ବାପାଙ୍କ ମୁଣ୍ଡ ଖରାପ ହେତୁ ମୋ ବାପାଙ୍କୁ ଝିଅଘର ଲୋକେ ଶିଖାଇ ସାପ କାମୁଡାର ଅଭିଯୋଗ କରିଥିଲେ । ମାତ୍ର ତାଙ୍କୁ ହତ୍ୟା କରାଯାଇଛି, ତାଙ୍କୁ ଗିରଫ କରିବାକୁ ୨୭ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୁଲିସ୍ କେସ ନଂ ୨୭୨/୨୦୨୨ ରୁଜୁ କରିଛି । ଗୁରୁବାର ୨୦ଜଣ ମହିଳା ଥାନାରେ ପହଞ୍ଚôି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ତେବେ ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।