ତାଇୱାନ୍ ଛାଡ଼ିଲେ ନାନ୍ସୀ
ତାଇପେଇ/ୱାଶିଂଟନ୍/ବିଜିଂ, ୩ା୮: ଚୀନ୍ର ଧମକ ସତ୍ତ୍ୱେ ଆମେରିକା ସଂସଦର ସ୍ପିକର୍ ନାନ୍ସୀ ପେଲୋସି ତାଇୱାନ୍ ରାଜଧାନୀ ତାଇପେଇରେ ୧୮ ଘଣ୍ଟା ରହି ସୁରକ୍ଷିତ ଭାବେ ଫେରିଛନ୍ତି । ଏସିଆ ଗସ୍ତରେ ଥିବା ନାନ୍ସୀ ବୁଧବାର ସନ୍ଧ୍ୟାରେ ଦକ୍ଷିଣ କୋରିଆରେ ପହଞ୍ଚôଛନ୍ତି । ନାନ୍ସୀଙ୍କ ବିମାନକୁ ଆମେରିକୀୟ ନୌସେନା ଏବଂ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଏସ୍କର୍ଟ କରିଥିଲା । ତାଙ୍କ ବିମାନ ତାଇପେଇରୁ ଉଡ଼ାଣ ଭରିବା ପରେ ଜାପାନସ୍ଥିତ ଆମେରିକୀୟ ସେନା ଘାଟିରୁ ୫ଟି ଏଫ୍-୧୫ ଫାଇଟର୍ ଜେଟ୍ ଓ ୩ଟି ଏୟାର ରିଫୁ୍ୟଲିଂ ଟ୍ୟାଙ୍କର୍ ପ୍ଲେନ୍ ମଧ୍ୟ ଉଡ଼ାଣ ଭରିଥିଲା । ତାଇୱାନ୍ ଛାଡ଼ିବା ସମୟରେ ନାନ୍ସୀ ଚୀନ୍ ଉଦେ୍ଦଶ୍ୟରେ ବାର୍ତ୍ତା ଦେଇ କହିଥିଲେ, ଆକ୍ରମଣ ପ୍ରତି ତାଙ୍କର ଖାତିର୍ ନାହିଁ । ନାନ୍ସୀଙ୍କ ତାଇୱାନ୍ ଗସ୍ତ ଚୀନ୍ ଗାଲରେ ଶକ୍ତ ଚାପୁଡ଼ା ବୋଲି କୁହାଯାଉଛି ।
ୟୁଏସ୍ ପ୍ରତିନିଧି ଦଳ ସହ ନାନ୍ସୀ ମଙ୍ଗଳବାର ତାଇପେଇରେ ପହଞ୍ଚôଥିଲେ । ୧୮ ଘଣ୍ଟା ରହିବା ମଧ୍ୟରେ ସେ ତାଇୱାନ୍ ସଂସଦରେ ଉଦ୍ବୋଧନ ଦେବା ପରେ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ ଏକ ସଂକ୍ଷିପ୍ତ ବିବୃତିରେ ନାନ୍ସୀ କହିଥିଲେ, ‘ଆଜି ବିଶ୍ୱ ସମ୍ମୁଖରେ ଗଣତନ୍ତ୍ର ଓ ନିରଙ୍କୁଶତା ମଧ୍ୟରୁ ଗୋଟିକୁ ବାଛିବାର ସମୟ ଆସିଛି । ତାଇୱାନ୍ ତଥା ପୃଥିବୀର ସବୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ।’
ନାନ୍ସୀ କହିଥିଲେ, ସୁରକ୍ଷା ପ୍ରସଙ୍ଗରେ ଆମେରିକା ତାଇୱାନ୍ ସହ ରହିବ । ଆମେରିକା ୪୩ ବର୍ଷ ପୂର୍ବେ ଏହି ପ୍ରତିଶ୍ରୁତି ଦେଇଥିଲା । ତାଇୱାନ୍ ସହ ବନ୍ଧୁତା ନେଇ ଆମେ ଗର୍ବିତ ।
ନାନ୍ସୀ ବିଦାୟ ନେବା ପରେ ପରେ ଚୀନ୍ ଅତ୍ୟନ୍ତ ଆକ୍ରାମକ ହୋଇଉଠିଛି । ଚୀନ୍ ବାୟୁସେନାର ୨୭ଟି ଯୁଦ୍ଧ ବିମାନ ଦକ୍ଷିଣ-ପଶ୍ଚିମ ଆକାଶ ସୀମା ଲଙ୍ଘନ କରିଥିବା ରିପୋର୍ଟ ମିଳିଛି । ଏହାଛଡ଼ା ତାଇୱାନ୍ ଚାରିପାଖେ ପିଏଲ୍ଏ (ଚୀନା ସେନାବାହିନୀ) ପକ୍ଷରୁ ୬ଟି ନୋଏଣ୍ଟି୍ର ଜୋନ୍ ଘୋଷଣା କରାଯାଇଛି । ଏହାଫଳରେ ଏହିସବୁ ମାର୍ଗ ଦେଇ କୌଣସି ଯାତ୍ରୀ ବିମାନ କିମ୍ବା ଜାହାଜ ତାଇୱାନ୍ ଅଭିମୁଖେ ଯାଇପାରିବେ ନାହିଁ । ତାଇୱାନ୍ର ଚାରିଦିଗରେ ଚୀନ୍ ବହୁ ସଂଖ୍ୟକ ଜେ-୨ଠ ଫାଇଟର୍ ଜେଟ୍ ଓ ଯୁଦ୍ଧ ପୋତ ମୁତୟନ କରିବା ସହ ସମରାଭ୍ୟାସ ଜାରି ରଖିଛି । ଚୀନ୍ ମଧ୍ୟ ତାଇୱାନ୍ ବିରୋଧରେ ଅନେକ କଠୋର କଟକଣା ଲାଗୁ କରିଛି । ତଦନୁଯାୟୀ ଚୀନ୍ ତାଇୱାନ୍କୁ ବାଲି ରପ୍ତାନି କରିବ ନାହିଁ ଏବଂ ତାଇୱାନ୍ରୁ ଫଳ ତଥା ଅନ୍ୟାନ୍ୟ ସାମଗ୍ରୀ ଆମଦାନି କରିବ ନାହିଁ ।