ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗୁରୁବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ । ବିଶେଷ ଭାବରେ ଆଜିର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମୋହର ଲଗାଯିବ ବୋଲି ଆଶା ପ୍ରକଟ ରହିଛି । ତେବେ ବୈଠକ ହେବା ପରେ ଏହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ବିଶେଷ ଭାବେ ପୁରୀ ସହରରେ ଦୀର୍ଘ ବର୍ଷ ବର୍ଷ ଧରି ଲାଗି ରହିଥିବା ଜମି ସମସ୍ୟା ଉପରେ ଆଲୋକପାତ କରାଯିବ । ଏପରିକି ଦୀର୍ଘ ବର୍ଷ ବର୍ଷ ଧରି ନିଜ ନିଜର ପରିବାର ନେଇ ରହି ଆସୁଥିବା ଜମି ମହାପ୍ରଭୁଙ୍କ ନାମରେ ରହିବା ଘଟଣାକୁ ନେଇ ସମସ୍ତେ ଚିନ୍ତିତ । ଉକ୍ତ ଘଟଣାକୁ ସମାଧାନ କରିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଏନେଇ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ତାହା ସଫଳ ହୋଇପାରିନାହିଁ । ଫଳରେ ଜମି ମାଲିକାନା ବିବାଦ ଛିଡୁ ନ ଥିବାରୁ ଏହାକୁ ନେଇ ହଜାର ହଜାର ପରିବାର ଏବେ ଦ୍ୱନ୍ଦ୍ୱରେ ରହୁଛନ୍ତି ।
୧୯୯୮ରେ ଆଇନ ବିଭାଗ ପକ୍ଷରୁ ଜାରିକରା ଯାଇଥିବା ବଜ୍ଞପ୍ତି ଅନୁଯାୟୀ ଭକ୍ତଙ୍କଠାରୁ ପ୍ରଣାମୀ ନେଇ ଜମି ମାଲିକାନା ପ୍ରଦାନ କରିବା ଲାଗି ଦାବି ହୋଇ ଆସୁଛି । ତତ୍ ସହିତ ସେବାୟତଙ୍କ ଗୁରୁକୁଳ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘଟଣା ଉପରେ ବିସ୍ତୁତ ଭାବେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ।