ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗୋପବନ୍ଧୁ କଲୋନିବାସୀ
ସାହିରେ ଲହଡ଼ି ମାରୁଛି ନଳାପାଣି
ପୁରୀ (ବୁ୍ୟରୋ): ବୁଧବାର ବର୍ଷା ହେବା ଫଳରେ ୨୧ ନଂ ୱାର୍ଡ ଗୋପବନ୍ଧୁ କଲୋନିରେ ନଳାପାଣି ପ୍ରବେଶ କରିଛି । ଯାହାଫଳରେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଗୋପବନ୍ଧୁକ ଲୋନୀ ବାସିନ୍ଦା । ଏହାକୁ ନେଇ ଆଜି ଗୋପବନ୍ଧୁ କଲୋନୀ ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । କଲୋନୀର ସମସ୍ୟା ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ଜଣାପଡ଼ିଛି ।
ଅସରାଏ ବର୍ଷା ହେଲେ ସହର ଅବସ୍ଥା ସଙ୍ଗୀନ୍ ହୋଇପଡୁଛି । ଉକ୍ତ କଲୋନିରେ ଦୀର୍ଘଦିନ ଧରି ରାସ୍ତା ନିର୍ମାଣ ନ ହେବା ଫଳରେ ପାଣି ଜମି ରହୁଛି । ଏପରିକି ବର୍ଷା ହେବା ଦ୍ୱାରା ସାହି ମଧ୍ୟରେ ନଳା ପାଣି ଲହଡ଼ି ମାରୁଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।
ପୁରୀ ସହର ୩୨ଟି ୱାର୍ଡକୁ ନେଇ ଗଠିତ । ଦୀର୍ଘ ୨ବର୍ଷ ଧରି ପୌରପାଳିକା ନିର୍ବାଚନ ହୋଇନାହିଁ । ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ଏପରିକି ପୌର ପାଳିକାରେ ଚେୟାରମ୍ୟାନ୍ ଓ କାଉନସିଲର ନ ଥିବାରୁ ମନମୁଖି କାର୍ଯ୍ୟ କରୁଛନ୍ତି ଅଫିସର ଓ ଠିକାଦାର । ସହରର ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ତାହାକୁ ଦେଖିବାକୁ କେହି ନାହାନ୍ତି ।