ଫଟୋ ଉଠାଇଲେ, ଉପହାର ଦେଲେ
ରାଇସିନା ହିଲ୍ସରେ ଓଡ଼ିଶା ବିଧାୟକ
ଭୁବନେଶ୍ୱର (ବୁ୍ୟରୋ): ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଭେଟିଛନ୍ତି ଦିଲ୍ଲୀ ଗସ୍ତରେ ଯାଇଥିବା ବିଧାୟକ ମଣ୍ଡଳୀ । ରାଷ୍ଟ୍ରପତି ଭବନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଧାୟକ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସହ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ଥିବାରୁ ଖୁସିରେ ବିଭୋର ହୋଇଥିଲେ ସମସ୍ତ ବିଧାୟକ । ଏହି ସମୟରେ ବିଧାୟକମାନେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ପାଇଁ ଯାଇଥିବା ସମସ୍ତ ଉପହାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ପିନ୍ଧା ବସ୍ତ୍ର ସହ ଫଟୋଚିତ୍ର ଓ ଓଡିଆ କଳାକୃତିର ଉପହାର ପ୍ରଦାନ କରିଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ କୋଟ୍ପାଡ ଶାଢ଼ି ଉପହାର ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତି । ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଶାଢ଼ି ଉପହାର ଦେଇଥିଲେ । ସେହିଭଳି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ କବିତା ଲେଖିଥିଲେ । କବିତା ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ଏହାପରେ ବିଧାୟକଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ କରାଯାଇଥିଲା ।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବାର ସମୟ ଆମ ପାଇଁ ଥିଲା ସବୁଠାରୁ ଆନନ୍ଦର ମୁହୂର୍ତ୍ତ । ପରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଙ୍ଗଳ୍ପ ପତ୍ର ତାଙ୍କୁ ପ୍ରଦାନ କରିଥିଲୁ । ତା’ସହ ଓଡ଼ିଶା ବିଧାନସଭା ତରଫରୁ ସମ୍ୱର୍ଦ୍ଧିତ କରିଥିଲୁ । ଆଗାମୀ ଦିନରେ ଓଡ଼ିଶାର ପ୍ରଗତିରେ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଭିତରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି, ରାଷ୍ଟପତିଙ୍କୁ ଭେଟିବାର ମୁହୂର୍ତ୍ତ ଥିଲା ଆନନ୍ଦର ମୁହୂର୍ତ୍ତ । ବିଭିନ୍ନ ଲୋକ ବିଭିନ୍ନ ଉପହାର ଦେଇଛନ୍ତି । ମୁଁ କୋଟପାଡ ଶାଢ଼ୀ ଦେଇଛି । ୨୦୦୦ ମସିହାରେ ସେ ମନ୍ତ୍ରୀ ଥିଲେ । ସେତେବେଳେ ମୁଁ ବିଧାୟକ ଥିଲି । ଏହାଛଡ଼ା ଶ୍ରୀମତି ମୁର୍ମୁ ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆମେ ରାଜଭବନ ଯାଇଥିଲୁ । ସେଥିପାଇଁ ଆମେ ଅତି ପରିଚିତ । ସେ ମୋତେ ଦେଖି ଭାଲୁ ଭାଇ କେମିତି ଅଛନ୍ତି? ବୋଲି କହିଥିଲେ ।
ବିଧାୟକମାନେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଦିନ ସାଢ଼େ ୧୧ଟାରେ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି । ରାଷ୍ଟ୍ରପତିଙ୍କ ସହ ଫଟୋସେସନ ମଧ୍ୟ କରାଯାଇଛି । ମଙ୍ଗଳବାର ବାଚସ୍ପତି ଶ୍ରୀ ଆରୁଖଙ୍କ ନେତୃତ୍ୱରେ ବିଧାୟକ ଦଳ ନୂଆଦିଲ୍ଲୀ ଯାଇଥିଲେ । ବାଚସ୍ପତିଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଦେବୀ ମିଶ୍ର, ସୁଦାମ ମାରାଣ୍ଡି, ଶାରଦା ପ୍ରସାଦ ନାୟକ, ସ୍ନେହାଙ୍ଗିନୀ ଛୁରିଅ ।, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର ସାହୁ, ରାଜ କିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାଏକ ଏବଂ କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଗସ୍ତ କରିଥିଲେ ।