୫ରେ ଡିଆର୍ଡିଏ ଘେରିବେ ଗାଁସାଥୀ
ବିଡିଓଙ୍କୁ ବଦଳି, ପିଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭଦ୍ରକ (ଆପ୍ର): ଭଣ୍ଡାରୀପୋଖରୀ ବିଡିଓଙ୍କ ବଦଳି ଓ ପିଡିଙ୍କ ଚଞ୍ଚକତାର ତଦନ୍ତ ଦାବିରେ ଆସନ୍ତା ୫ ତାରିଖରେ ଡିଆର୍ଡିଏ ଅଫିସ୍ ଘେରିବ ଗାଁସାଥୀ । ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଗାଁସାଥୀ (ମେଟ୍)ମାନଙ୍କ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯୋଗ୍ୟ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ମନରେଗା କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଗାଁସାଥୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ବିଡିଓଙ୍କ ଦୁର୍ନୀତି ସିଧାସଳଖ ପ୍ରମାଣିତ ହୋଇଥିଲେ ମଧ୍ୟ ଏହାର ତଦନ୍ତ କରାଯାଉ ନାହିଁ । ଏ ନେଇ ଗାଁସାଥୀମାନେ ଗତ ୨୮ ତାରିଖରେ ଆନେ୍ଦାଳନ କରିବା ପରେ ଏ ସଂକ୍ରାନ୍ତରେ ପ୍ରଶାସନ ଓ ଗାଁସାଥୀମାନେ ଏକତ୍ର ଆଲୋଚନା କରିଥିଲେ । ଆଲୋଚନାରେ ଯାହାସବୁ ନିଷ୍ପତ୍ତି ହୋଇଥିଲା ତାହାର ଏକ ପ୍ରୋସିଡିଂ ଗତ ୧ ତାରିଖରେ ଗାଁସାଥୀଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏଥିରେ ପ୍ରମୁଖ ଆଲୋଚ୍ୟ ବିଷୟକୁ ଚଞ୍ଚକତାର ସହ ବାଦ୍ ଦିଆଯାଇଛି ।
ବୁଧବାର ଗାଁସାଥୀ(ମେଟ୍)ମାନେ ସୀତାରାମ କଲ୍ୟାଣ ମଣ୍ଡପରେ ଏକତ୍ର ହୋଇ ବୈଠକ କରିବା ସହ ଗାଁସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳ କହିଥିଲେ ଯେ, ଗତ ୨ବର୍ଷ ଧରି ଯେଉଁ ପଞ୍ଚାୟତ ଓ ବ୍ଲକ୍ସ୍ତରର ଅଧିକାରୀମାନେ ମନରେଗାର କାର୍ଯ୍ୟରତ ଗାଁସାଥୀଙ୍କ ପ୍ରାପ୍ୟ ପ୍ରଦାନ କରି ନାହାନ୍ତି । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୮ ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପ୍ରୋସିଡିଂରେ ସିଡିଓ-କମ୍-ଇଓ, ଜିଲ୍ଲାପରିଷଦ, ଭଦ୍ରକ ତାହାକୁ ବାଦ୍ ଦେଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକ୍ ତେସିଂଗାରେ ମନରେଗା କାର୍ଯ୍ୟର ଦୁର୍ନୀତିକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଭଣ୍ଡାରିପୋଖରୀ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ଅଗଷ୍ଟ ୫ରେ ଶହଶହ ଗାଁସାଥୀ ଓ ତେସିଂଗା ଗ୍ରାମବାସୀ ପିଡି ଡିଆର୍ଡିଏଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ । ବୈଠକରେ ମନୋଜ ପାଢୀ, ପ୍ରମୋଦ ସାମଲ, ଭରତ ବାରିକ, ଅକ୍ଷୟ ଜେନା, ଅର୍ଜୁନ ମଣ୍ଡଳଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।