ଗହମ ପରେ ଚାଉଳ ସଙ୍କଟ

ନୂଆଦିଲ୍ଲୀ, ୩ା୮: ଗହମ ପରେ ଆଗାମୀ ଦିନରେ ପୃଥିବୀ ସାରା ଚାଉଳ ସଂକଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ପୃଥିବୀର ସବୁଠାରୁ ବଡ଼ ଚାଉଳ ରପ୍ତାନିକାରୀ ଦେଶ ଭାରତର ଅନେକ ରାଜ୍ୟରେ ଆଶାନୁରୂପ ବର୍ଷା ନହେବା ଯୋଗୁ ଧାନ ବୁଣା, ରୁଆ, ବେଉଷଣ ଆଦି ବ୍ୟାହତ ହୋଇଛି । ଏହି କାରଣରୁ ଚଳିତବର୍ଷ ଧାନ ଅମଳ କମିଯାଇପାରେ ।
ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ବୁଣା, ରୁଆ ଆଦି କାର୍ଯ୍ୟ ୧୩ ପ୍ରତିଶତ କମିଯାଇଛି । ଧାନ ଉତ୍ପାଦନ କମିବା ଆଶଙ୍କା ପ୍ରକାଶ ପାଇବାରୁ ତା’ର ପ୍ରଭାବ ବଜାରରେ ଏବେଠୁ ଅନୁଭୂତ ହେଲାଣି । ଗତ ଦୁଇ ସପ୍ତାହ ଭିତରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ଚାଉଳ ୧ଠ% ମହଙ୍ଗା ହୋଇଛି ।
ଭାରତରେ ସବୁଠାରୁ ବେଶୀ ଲୋକ ଚାଉଳ ଉପରେ ନିର୍ଭରଶୀଳ । ଏହାର ଉତ୍ପାଦନ କମିଗଲେ ଅନେକ ସାମଗ୍ରୀ ମହଙ୍ଗା ହୋଇଥାଏ । ତା’ଛଡ଼ା ରାଜନୈତିକ ତଥା ଆର୍ଥିକ ସ୍ଥିରତାକୁ ମଧ୍ୟ ଚାଉଳ ଦର ପ୍ରଭାବିତ କରିଥାଏ । ଅଗଷ୍ଟ ଓ ସେପ୍ଟେମ୍ବର ମାସର ବୃଷ୍ଟିପାତ ଉପରେ ଭାରତର ଧାନ ଉତ୍ପାଦନ ବିଶେଷ ଭାବେ ନିର୍ଭରଶୀଳ । ତେଣୁ ଚଳିତ ଓ ଆଗାମୀ ମାସରେ ଯଦି ନିଅଣ୍ଟିଆ ବର୍ଷା ହୁଏ, ପରିସ୍ଥିତି ଅସମ୍ଭାଳ ହୋଇପାରେ ।
ରୁଷ-ୟୁକ୍ରେନ୍ ଯୁଦ୍ଧ ଷଷ୍ଠ ମାସରେ ଜାରି ରହିବା ଯୋଗୁ ବିଶ୍ୱବ୍ୟାପୀ ଗହମ ଅଭାବ ଦେଖାଦେଇଛି । ରୁଷ ଓ ୟୁକ୍ରେନ୍ରୁ ଗହମ ଆସିପାରୁ ନଥିବାରୁ ଏହାର ଦାମ୍ ଅତ୍ୟଧିକ ବୃଦ୍ଧି ପାଇଛି । ଗହମ ମହଙ୍ଗା ହେବା ଯୋଗୁ ଅଟା ଏବଂ ଅନ୍ୟାନ୍ୟ ଗହମଜାତ ଦ୍ରବ୍ୟ ମଧ୍ୟ ମହଙ୍ଗା ହୋଇଛି । ଏଭଳି ସ୍ଥିତିରେ ଚାଉଳ ସଂକଟ ଉପୁଜିଲେ ବିଶ୍ୱବ୍ୟାପୀ ଖାଦ୍ୟ ସଂକଟ ଅଧିକ ଉକ୍ରଟ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *