ହର୍ଣ୍ଣ ଅଫ୍ ଆଫ୍ରିକାରେ ଖାଦ୍ୟ ସଂକଟ
ଭୋକଜ୍ୱାଳାରେ ୩୭ ନିୟୁତ ଲୋକ, ମାନବୀୟ ସହାୟତା ପାଇଁ ହୁ’ର ନିବେଦନ
ସୋମାଲିଆ (ଏଜେନ୍ସି): ହର୍ଣ୍ଣ ଅଫ୍ ଆଫ୍ରିକା (ସୋମାଲିଆ, ଇଥିଓପିଆ ଓ କେନିଆ)ରେ ସମ୍ପ୍ରତି ଉକ୍ରଟ ଖାଦ୍ୟ ସଂକଟ ଦେଖାଦେଇଛି । ଜାତିସଂଘ ରିପୋର୍ଟ ଅନୁସାରେ ହର୍ଣ୍ଣ ଅଫ୍ ଆଫ୍ରିକାର ମୋଟ୍ ୮ଠ ନିୟୁତ ନାଗରିକଙ୍କ ମଧ୍ୟରୁ ପ୍ରାୟ ୩୭ ନିୟୁତ ଲୋକ ଭୀଷଣ ଭୋକଜ୍ୱାଳାରେ ଦୈନିକ ସଢ଼ୁଛନ୍ତି । ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ (ପ୍ରାୟ ୨ଠ ନିୟୁତରୁ ଅଧିକ) ସାମିଲ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ଆଫ୍ରିକାର ଏହି ପ୍ରଦେଶଗୁଡ଼ିକୁ ମାନବୀୟ ସହାୟତା ଆଧାରରେ ସହଯୋଗର ହାତ ବଢ଼ାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବିଶ୍ୱ ସମୁୂଦାୟକୁ ନିବେଦନ କରିଛି । ଖାଦ୍ୟ ଓ ସ୍ୱାସ୍ଥ୍ୟ ସଂକଟର ସମାଧାନ ପାଇଁ ୧୨୩.୭ ନିୟୁତ ଡଲାର ଅର୍ଥ ଜରୁରୀକାଳୀନ ସହାୟତା ଯୋଗାଡ କରିବା ପୂର୍ବକ ଏଠାକୁ ପଠାଇବାକୁ ହୁ’ ଅପିଲ୍ କରିଛି ।
ଜରୁରୀକାଳୀନ ସହାୟତା ଉଦେ୍ଦଶ୍ୟରେ ହୁ’ର ସହକାରୀ ମହାନିଦେ୍ର୍ଦଶକ ଇବ୍ରାହିମା ସୋସ୍ ଫଲ୍ ନିଜ ଆଭିମୁଖ୍ୟ ବିଶ୍ୱ ସମ୍ମୁଖରେ ରଖିଛନ୍ତି । ସେ କହିଛନ୍ତି ଯେ, ଉକ୍ରଟ ଖାଦ୍ୟ ସଂକଟ ସେହିସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ ସଂକଟର ମଧ୍ୟ କାରଣ ସାଜିଛି । ତାଙ୍କ କହିବାନୁସାରେ କୁପୋଷଣ ଯୋଗୁଁ ରୋଗ ବ୍ୟାପୁଛି । କରୋନା ମହାମାରୀ ଏହି ଅଞ୍ଚଳରେ ନରସଂହାର କରିସାରିଥିବା ବେଳେ ଏବେ ଏଠିକାର ଲୋକମାନେ ମିଳିମିଳା, ହଇଜା ଭଳି ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି । ହର୍ଣ୍ଣ ଅଫ୍ ଆଫ୍ରିକାକୁ ବାଦ୍ ଦେଲେ ଉକ୍ରଟ ଖାଦ୍ୟ ସଂକଟ ଯୋଗୁ ଆଫ୍ରିକାର ବାକି ପ୍ରାନ୍ତୀୟ ପ୍ରଦେଶ ଯେପରିକି ଜିବୋଟି, ଦକ୍ଷିଣ ସୁଦାନ, ସୁଦାନ ଏବଂ ଉଗାଣ୍ଡା ଭଳି ୭ଟି ପ୍ରଦେଶର ସ୍ୱାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ପିଲାମାନଙ୍କ ମଧ୍ୟରେ କୁପୋଷଣ ଏକ ବଡ଼ ଚିନ୍ତାଜନକ ସମସ୍ୟା ସୃଷ୍ଟି କରିଛି । ଏମାନଙ୍କୁ ଏପ୍ରକାର ସ୍ଥିିତିରୁ ବଞ୍ଚାଇବା ପାଇଁ ହୁ’ ପକ୍ଷରୁ ବିଶ୍ୱ ସମୁଦାୟକୁ ସହାୟତା ପାଇଁ ଅନୁରୋଧ କରାଯାଉଛି । ବିଶ୍ୱର ଧନୀ ତଥା ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କ ସାମର୍ଥ୍ୟର କିଞ୍ଚତ୍ ମାତ୍ର ସହାୟତା କରିପାରିଲେ ଏମାନେ ଜୀବନଧାରଣ କରିପାରିବେ । ଫଲ୍ କହିଛନ୍ତି, ଜାତିସଂଘ ଏବଂ ହୁ’ ପକ୍ଷରୁ ଯଥାସମ୍ଭବ ଅର୍ଥ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ୮ଠ/୧ଠଠ ମିଲିଅନ୍ ଜନତାଙ୍କୁ ପୋଷକଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ବିଶ୍ୱ ସମୁଦାୟର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ହର୍ଣ୍ଣ ଅଫ୍ ଆଫ୍ରିକୀୟ ଦେଶଗୁଡ଼ିକ ବିଗତ ଦଶନ୍ଧି ତୁଳନାରେ ସମ୍ପ୍ରତି ସବୁଠୁ ଉକ୍ରଟ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି ।