‘ଦେଓମାଳି ଓଡ଼ିଶାର, ଓଡ଼ିଶାରେହିଁ ରହିବ’
ଭୁବନେଶ୍ୱର, ୨ା୮ (ବୁ୍ୟରୋ): ଦେଓମାଳି ଓଡ଼ିଶାର ଆଉ ଓଡିଶାରେ ହିଁ ରହିବ । ମୁଁ ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଇଥିଲି ତାହା ଭୁଲ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଯାହା କହିଦେଇଛି ଭୁଲରେ କହିଦେଇଛି, କେବଳ ଦେଓମାଳି ନୁହେଁ ଏହାର ଆଖ ପାଖ ଗ୍ରାମ ପୁଞ୍ଜମାନ ମଧ୍ୟ ଓଡିଶାର । ତେଣୁ ସେଠାରେ କୌଣସି ସୀମା ବିବାଦ ଉଠିବା ଉଚିତ ନୁହେଁ । ଉଭୟ ରେଭନୁ୍ୟ ରେକର୍ଡ ଆଉ ଫରେଷ୍ଟ ରେକର୍ଡରେ ଦେଓମାଳିର ନାମ ନଥିବାରୁ ମୁଁ କେବଳ ସତ୍ୟ କଥା ଟି କହିଲି କିନ୍ତୁ ଦେଓମାଳି ଓଡିଶାର ନୁହେଁ ବୋଲି କହି ନାହିଁ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଦେଓମାଳି ହେଉଛି ଓଡିଶାର ସମ୍ପତ୍ତି ଏବଂ ଏହାକୁ ଘେରି ରହିଥିବା ଗାଁ ଗୁଡିକ ମଧ୍ୟ ଓଡିଶାର ସମ୍ପତ୍ତି । ଆଇନଗତ ସୂଚନା ମୋର ଅଛି, ତେଣୁ ଏହି କଥାରେ ଏଭଳି ମନ୍ତବ୍ୟ ଦେବା ମୋର ଭୁଲ ଥିଲା । କିନ୍ତୁ ଏହା ରେର୍କଡରେ ନାହିଁ । ତେଣୁ ଏହାକୁ ଖୁବ ଶୀଘ୍ର ରେକର୍ଡରେ ସ୍ଥାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଏହାସହ ମନ୍ତ୍ରୀ କହିଛନ୍ତି, ଏହାଉପରେ ଖୁବଶୀଘ୍ର ଏକ ସମନ୍ୱୟ ବୈଠକ ଡକାଯିବ ଏବଂ ସମସ୍ତ ସୀମାକୁ ମାପଚୁପ କରାଯିବା ସହ ରାଜ୍ୟସରକାରଙ୍କ ରେର୍କଡରେ ସାମିଲ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ନାଉରୀ ନାୟକ ମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ଉପରୋକ୍ତ ତଥ୍ୟକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ଦେଓମାଳୀ ଓଡ଼ିଶାର ଥିଲା ଅଛି ରହିବ । ଯଦି ଆବଶ୍ୟକ ପଡ଼େ କୋରାନୁଟବାସୀ ଦେଓମାଳୀ ପାଇଁ ରକ୍ତ ଦେବେ । ଖାଲି ଦେଓମାଳୀ ନୁହେଁ କୋଟିଆ ସୀମା ବିବାଦର ଯଦି ସମାଧାନ ବାଟ ନ ଖୋଲେ ତେବେ କୋଟିଆ ଓ ଦେଓମାଳୀ ପାଇଁ କୋରାପୁଟବାସୀ ରାଜରାସ୍ତାକୁ ଆନେ୍ଦାଳନ ପାଇଁ ଓହ୍ଲାଇବେ ବୋଲି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି । କୋଟିଆ ଅକ୍ତିଆର ପାଇଁ ଆନ୍ଧ୍ର ହୀନ ଚକ୍ରାନ୍ତ ଜାରି ରଖିଛି । ଏପରିକି ଦେଓମାଳିରେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ବୁଲୁଛନ୍ତି । ଏଣୁ ଦେଓମାଳି କାହାର ସେନେଇ ପ୍ରଶ୍ନ ଉଠିଛି ।
ସେହିପରି ବିଜେପି ବିଧାୟକ ଶ୍ରୀ ନାୟକ କହିଛନ୍ତି, ଦେଓମାଳୀ ଓଡ଼ିଶାର ବୋଲି ରାଜ୍ୟ ସରକାରଙ୍କ ନିକଟରେ କିଛି ତଥ୍ୟ ନାହିଁ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାବେଳେ ତୁରନ୍ତ ଏନେଇ ତଦନ୍ତ ହେବା ଜରୁରୀ । କାହିଁକି ଦେଓମାଳୀକୁ ନେଇ ରାଜ୍ୟ ରାଜସ୍ୱ ଓ ଜଙ୍ଗଲ ବିଭାଗ ପାଖରେ କିଛି ତଥ୍ୟ ନାହିଁ ସେକଥା ସମସ୍ତଙ୍କ ଲୋକଲୋଚନକୁ ଆସିବା ଦରକାର ବୋଲି ଶ୍ରୀ ନାୟକ ଦାବି କରିଛନ୍ତି । ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ପରାମର୍ଶ ଦେଇଛନ୍ତି । ୩ ବିଭାଗ (ପର୍ଯ୍ୟଟନ, ଜଙ୍ଗଲ ଓ ରାଜସ୍ୱ)କୁ ନେଇ ଏହି ପ୍ରସଙ୍ଗରେ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ମୁତାବକ, ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ମନ୍ତ୍ରୀଙ୍କୁ ଗୃହରେ ଦୃଢ଼ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ମନ୍ତ୍ରୀ ପଛରେ ତାଙ୍କର ଭୁଲ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ବିଜେଡି ବିଧାୟକ ଅମର ଶତପଥୀ ଏହି ପ୍ରସଙ୍ଗକୁ ଗୃହରେ ଉଠାଇଥିଲେ ।