ଲୁନାରେ ମେଡିକାଲ୍ ଆସିଲା ଶବ
ଚନ୍ଦନପୁରରେ ଶବକୁ ଅସମ୍ମାନ
ପୁରୀ (ବୁ୍ୟରୋ): ରାଜ୍ୟରେ ବାରମ୍ବାର ଶବକୁ ଅସମ୍ମାନ ହେବା ଘଟଣା ନଜରକୁ ଆସିଥିଲା । ପରେ ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲେ ରାଜ୍ୟ ସରକାର । ଏପରିକି ଶବ ଆଣିବା ଲାଗି ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶବବାହକ ଗାଡିÿ ରହିଥିବା ନେଇ ଘୋଷଣା କରାଯାଇଥିଲା । ବାସ୍ତବରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚନ୍ଦନପୁର ମେଡିକାଲ୍ରେ । ଜଣେ ବୃଦ୍ଧାଙ୍କ ଶବକୁ ଲୁନାରେ ଆଣି ବ୍ୟବଚ୍ଛେଦ ଲାଗି ପୁରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଉକ୍ତ ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ଘଟଣା ଉପରେ ପ୍ରଶାସନ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର । କେତେଜଣଙ୍କ ଦାୟିତ୍ୱହୀନତା ଯୋଗୁଁ ଯୋଜନା ଫେଲ୍ ମାରୁଛି । ଫଳରେ ସାଧାରଣରେ ସରକାର ବଦନାମ୍ ହେଉଛନ୍ତି ।
ସୂଚନାଥାଉକି, ଚନ୍ଦନପୁର ମେଡିକାଲକୁ ସ୍ଥାନୀୟ ତଳଜଙ୍ଗ ଅଞ୍ଚଳର ଜଣେ ବୃଦ୍ଧା ଚିକିତ୍ସା ଲାଗି ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା । ପରେ ଉକ୍ତ ଶବ ବ୍ୟବଚ୍ଛେଦ ଲାଗି ପୁଲିସ ମୃତ ପରିବାର ସଦସ୍ୟଙ୍କୁ କହିଥିଲେ । ହେଲେ ମେଡିକାଲ୍ରେ ଶବବାହକ ଗାଡ଼ି ନ ଥିଲା । ଏପରିକି ସେମାନଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ । ଏନେଇ ମଧ୍ୟ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସେମାନଙ୍କ କଥାକୁ ଗ୍ରହଣ କରାଯାଇ ନ ଥିଲା ।ଶେଷରେ ପରିବାର ସଦସ୍ୟ ଏକ ଲୁନାରେ ଶବକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ଲାଗି ଭର୍ତ୍ତି କରିଥିଲେ । ଏହା ପୂର୍ବରୁ ଖୋଦ୍ ପୁରୀ ସହରରେ ମଧ୍ୟ ଟ୍ରଲିରେ ଶବ ବୁହା ହେବାର ଘଟଣା ଘଟିଥିବା ବେଳେ ୪ ଝିଅ ଶବକୁ କାନ୍ଧରେ ବୋହି ନେଇ ସ୍ୱର୍ଗଦ୍ୱାରକୁ ନେବାର ଉଦାହରଣ ରହିଛି । ଘଟଣା ସମୟରେ ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ପୁନରାବୁତ୍ତି ହେବ ନାହିଁ ବୋଲି ସଫେଇ ଦେଉଥିବା ବେଳେ ପୁଣି ଯଥା ପୂର୍ବଂ ତଥା ପରଂ ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି ।