ଓଡ଼ିଶା ସ୍କିଲ୍ସ -୨ଠ୨୩ ପୋର୍ଟାଲ ଶୁଭାରମ୍ଭ
ଭୁବନେଶ୍ୱର (ବୁ୍ୟରୋ): ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ପଞ୍ଜୀକରଣ ନିମନ୍ତେ ଲୋକାର୍ପଣ କରିଛନ୍ତି । ଅଗଷ୍ଟ ଶେଷ ଯାଏ ଓଡିଶା ସ୍କିଲ୍ସ -୨୦୨୩ ପାଇଁ ଅନଲାଇନ୍ ପଞ୍ଜୀକରଣ ହୋଇପାରିବ । ୫୨ଟି ସ୍କିଲକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେବାର ଯୋଜନା ରହିଛି । ଚଳିତଥର ରାଜ୍ୟର ୪ ଜୋନ୍ରେ ଏହାର ଆୟୋଜନ କରାଯିବ । ପ୍ରତିଯୋଗିତାର ବିଜେତାମାନେ ଆଞ୍ଚଳିକ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ, ଯେଉଁଠାରେ ସେମାନେ ଅନ୍ୟ ରାଜ୍ୟର ବିଜେତାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ଏବଂ ଆଞ୍ଚଳିକସ୍ତରର ବିଜେତାମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଓଏସଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କହିଛନ୍ତି, ପିରାମିଡର ତଳ ଭାଗକୁ ସ୍ପର୍ଶ କରୁଥିବା ସ୍କିଲ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ସେମାନଙ୍କ ଉପରେ ଧ୍ୟାନ ଦେବା ଉଚିତ । ଓଡିଶା ସ୍କିଲ୍ସ-୨୦୨୩ରେ ପ୍ରାୟ ୧୦,୦୦୦ ଯୁବକ ଯୁବତୀ ଭାଗ ନେବା ଆମର ସାମୂହିକ ଲକ୍ଷ୍ୟ ହେବା ଉଚିତ୍ ଏବଂ ସେମାନେ ଅଣଇିନିୟରିଂ ଟ୍ରେଡ୍ରେ ଯେପରି ଭାଗ ନେବେ ସେ ନେଇ ପ୍ରୋତ୍ସାହନ ଦେବା ଆବଶ୍ୟକ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି, ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ସମଗ୍ର ଦେଶରେ ନିଜର ଆଭ୍ୟନ୍ତରୀଣ ସାମର୍ଥ୍ୟ ପ୍ରଦର୍ଶନ କରିବା ନିମନ୍ତେ ଓଡିଶା ସ୍କିଲ୍ସ -୨୦୨୩ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ସେ ଏହା ମଧ୍ୟ କହିଛନ୍ତି, ଜ୍ଞାନକୁ ଧନରେ ପରିଣତ କରିବା ହେଉଛି ସମୟର ଆହ୍ୱାନ । ସଠିକ୍ ଦକ୍ଷତା ତାଲିମ ସହ ରାଜ୍ୟର ଯୁବକଯୁବତୀମାନେ ଓଡିଶାରେ ରୂପାନ୍ତରଣର ବାର୍ତ୍ତା ପ୍ରଦାନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡବ୍ଲୂଏସସିର ସିଇଓ ରେଘୁ ଜି, ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ପ୍ରିନ୍ସିପାଲ ସଙ୍ଗରନ ଗୋପାଲ ଏବଂ ବିଭିନ୍ନ ଅନୁଷ୍ଠାନର ୭୪ ଜଣ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।