ବିଏମ୍ସିରେ ଜମା ନ କଲେ ବହିଷ୍କୃତ କରାଯିବ

ଆବର୍ଜନା ଟିକସ ଆଦାୟରେ ସ୍ୱଚ୍ଛ ସାଥିଙ୍କ ଅବହେଳା
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିଗମ ଅଞ୍ଚଳରେ ୟୁଜର୍ସ ଫି ଆଦାୟ ଦିନକୁ ଦିନ କମିବାରେ ଲାଗିଛି । ମହାନଗର ନିଗମର ୪୨ଟି ୱାର୍ଡରେ ସ୍ୱଚ୍ଛ ସାଥି ଭାବେ ଅବସ୍ଥାପିତ ହୋଇଥିବା ମହିଳା କର୍ମଚାରୀଙ୍କୁ ନେଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ବୈଠକ ବୁଧବାର ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଇ.ବିବେକ ରେଡ୍ଡି, କମିଶନର ଜେ.ସୋନାଲ, ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ବିଏମ୍ସିର ପ୍ରତିି ୱାର୍ଡରେ ସ୍ୱଚ୍ଛ ସାଥିଙ୍କ ଦ୍ୱାରା କେତେ ପରିମାଣର ଆବର୍ଜନା ଟିକସ ଆଦାୟ ନେଇ ତଥ୍ୟ ଉପସ୍ଥାପନ କରିଥିଲେ । ଅନେକ ସ୍ୱଚ୍ଛ ସାଥି ଆବର୍ଜନା ଟିକସ ସଠିକ୍ ଭାବେ ଆଦାୟ କରୁ ନ ଥିବା ଜାଣିବା ପରେ କମିଶନର ଓ ମେୟର ଉଦ୍ବେଗ ପ୍ରକାଶ କରିଥିଲେ । ବିଏମ୍ସି ଆବର୍ଜନା ଟିକସ ବାବଦକୁ ଘର ପିଛା ମାସକୁ ୩୦ଟଙ୍କା ରହିଥିବା ବେଳେ ୬ମାସ ପାଇଁ ୧୬୦ଟଙ୍କା ଓ ୧ବର୍ଷ ପାଇଁ ୩୦୦ଟଙ୍କା ଟିକସ ଧାର୍ଯ୍ୟ କରାଯାଇଛି । ଏଥିନିମନ୍ତେ ବିଏମ୍ସି ପକ୍ଷରୁ ୧୦୮ ସ୍ୱଚ୍ଛ ସାଥିଙ୍କୁ ନିୟୋଜିତ କରାଯାଇଛି । ଏହି ଟିକସ ଆଦାୟ ନିମନ୍ତେ ବିଏମ୍ସି ପକ୍ଷରୁ ଆମ ସହର ଆପ୍ ମଧ୍ୟ ରହିଛି । ଏହି ଆପ୍ ମାଧ୍ୟମରେ ସହରବାସୀ ନିଜର ଟିକସ ପୈଠ କରିପାରିବେ । ତେବେ ପ୍ରତିବର୍ଷ ଏହି ଟିକସ ଆଦାୟରେ ହ୍ରାସ ହେଉଥିବା ନେଇ ବିଏମ୍ସିର ବାର୍ଷିକ ବଜେଟ୍ରେ ଆଲୋଚନା ହେଉଛି । ବର୍ତ୍ତମାନ କେଉଁ କାରଣରୁ ଏହି ଟିକସ ଆଦାୟ ହ୍ରାସ ପାଉଛି ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଟିକସ ସଠିକ ସମୟରେ ପୈଠ ନକଲେ ସ୍ୱଚ୍ଛ ସାଥିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯିବ ବୋଲି କମିଶନର କହିଥିଲେ । ବହୁ ସହରବାସୀ ଆମ ସହର ଆପ୍ ବ୍ୟବହାର କରୁ ନ ଥିବା ଅଭିଯୋଗ ହେଉଛି । ବିଏମ୍ସି ପକ୍ଷରୁ ପ୍ରଦାନ କରାଯାଇଥିବା ରସିଦ୍ ମାଧ୍ୟମରେ ଟିକସ ଆଦାୟ ହେବ ବୋଲି କମିଶନର କହିଥିଲେ । ସ୍ୱଚ୍ଛ ସାଥିଙ୍କ ଅସହଯୋଗ କାରଣରୁ ୟୁଜର୍ସ ଫି ଆଦାୟ ହ୍ରାସ ପାଉଥିବା ସେ କହିଥିଲେ । ସୁପରଭାଇଜରମାନେ ତଦାରଖ ଦାୟିତ୍ୱ ନେବାକୁ କମିଶନର କହିଥିଲେ ।
ବିଏମ୍ସି ପକ୍ଷରୁ ଅଧିକ ପରିମାଣର ଆବର୍ଜନା ଟିକସ ଆଦାୟ କରିଥିବା ସ୍ୱଚ୍ଛ ସାଥି ମୀରାବାଇ ପଟ୍ଟନାୟକ, ସାରଦା ପାଳ, ପିଙ୍କି ସାହୁ ଓ ସଂଯୁକ୍ତା ପଟ୍ଟନାୟକଙ୍କୁ ବୈଠକରେ ସାଧୁବାଦ ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *