ବାସି ଖାଦ୍ୟ ଖାଇ ବୃଦ୍ଧା ମୃତ: ୫ ସଙ୍କଟାପନ୍ନ
ସୋର (ଆପ୍ରା): ଭୋଜିରେ ବଳିିଥିବା ଖାଦ୍ୟକୁ ଗରମ କରି ଖାଇଥିବା ଏକ ପରିବାରର ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଛି ଓ ଆଉ ୫ଜଣ ଗୁରୁତର ହୋଇ କଯକରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁରେ ଏହି ଅଘଟଣ ଘଟିଛି ।
ରବିବାର ଦିନ ଗାଁର ଯୁଧିଷ୍ଠିର ଦାସଙ୍କର ବୋରିଂ କରାଯାଇଥିଲା । ସେଥିପାଇଁ କାମ କରୁଥିବା ଶ୍ରମକ ଓ ପରିବାର ଲୋକଙ୍କ ପାଇଁ ଏକତ୍ର ରୋଷେଇ ହୋଇଥିଲା । ଦିନରେ ସମସ୍ତେ ଖାଇଥିଲେଓ ବଳକା ଖାଦ୍ୟକୁ ରାତିରେ ଗରମ କରି ଯୁଧିଷ୍ଠିରଙ୍କ ପରିବାରର ସମସ୍ତେ ଖାଇଥିଲେ । ଏହାକୁ ଖାଇବା ପରେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ରାତିରେ ସମସ୍ତଙ୍କୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ସୋମବାର ସକାଳେ ଘରକୁ ଫେରିଥିଲେ ।
ଘରେ ପହଞ୍ଚିବା ପରେ ପୁଣି ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ସମସତେ ସିମୁଳିଆ ମେଡିକାଲକୁ ଯାଇଥିଲେ । ସେଠାରୁ ୬ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯୁଧିଷ୍ଠିରଙ୍କ ମାଆ ଲକ୍ଷ୍ମୀ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖାଦ୍ୟ ବିଷାକ୍ତ ହେବା କାରଣରୁ ଏପରି ଅନୁମାନ କରାଯାଉଛି । ଖବର ପାଇ ୩ ଜଣିଆ ମେଡିକାଲ୍ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।