ଅଲ୍-ଜବାହିରୀ ନିହତ

ବାଲ୍କୋନୀରେ ବୁଲୁଥିବା ବେଳେ ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦା ମୁଖିଆର ମୃତୁ୍ୟ
ୱାଶିଂଟନ୍/କାବୁଲ,୨ ।୮: ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏର ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦାର ମୁଖିଆ ତଥା ୯/୧୧ ଟ୍ରେଡ୍ ଟାୱାର ଆକ୍ରମଣ ଷଡ଼ଯନ୍ତ୍ରରେ ଓସାମା ବିନ୍ ଲାଡେନ୍କୁ ସହଯୋଗ କରିଥିବା ଅୟମାନ ଅଲ୍ ଜବାହିରୀ ନିହତ ହୋଇଛି । ଆଫଗାନିସ୍ତାନ ରାଜଧାନୀ କାବୁଲ୍ର ଶେରପୁର ଇଲାକାସ୍ଥିତ ଏକ ସୁରକ୍ଷିତ କୋଠାରେ ୬ ମାସ ହେଲା ସପରିବାର ରହୁଥିଲା ଜବାହିରୀ । ରବିବାର (ଜୁଲାଇ ୩୧) ସକାଳ ୬ଟା ୧୮ ମିନିଟ୍ରେ ସେ ବାଲକୋନୀରେ ଟହଲ ମାରୁଥିବା ବେଳେ ରିପର୍ ଡ୍ରୋନ୍ରୁ ଦୁଇଟି ଆର୍୯ଏକ୍ସ ହେଲଫାୟର କ୍ଷେପଣାସ୍ତ୍ର ମାଡ଼ କରିଥିଲା ସିଆଇଏ । ଏଥିରେ ପରିବାର ଅନ୍ୟ କୌଣସି ସଦସ୍ୟ ମୃତାହତ ହୋଇ ନାହାନ୍ତି ।
ହେଲଫାୟର କ୍ଷେପଣାସ୍ତ୍ରରେ ବୋମା ପରିବର୍ତ୍ତେ ୬ଟି ରେଜର ଭଳି ଧାରୁଆ ବ୍ଲେଡ୍ ଥାଏ । ଟାର୍ଗେଟକୁ ବ୍ଲ୍ଲେଡ୍ ଦ୍ୱାରା ଖଣ୍ଡ ଖଣ୍ଡ କରି କାଟି ଦିଆଯାଏ । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ସିଆଇଏ ତଥା ଅନ୍ୟ ଆମେରିକୀୟ ଏଜେନ୍ସିମାନେ ଜବାହିରୀକୁ ଲଗାତାର ପିଛା କରିଆସୁଥିଲେ ।
ଯେଉଁ ଘରେ ଜବାହିରୀ ରହୁଥିଲା, ତାହା ତାଲିବାନ୍ ସରକାରର ଗୃହମନ୍ତ୍ରୀ ସିରାଜୁଦ୍ଦୀନଙ୍କ ଅତି ନିଜର ତଥା ହକ୍କାନୀ ନେଟ୍ୱର୍କର ଜଣେ ପ୍ରମୁଖ ନେତାଙ୍କର । ଏହି ସିକ୍ରେଟ୍ ଅପରେସନ୍ ପାଇଁ ଆଫଗାନିସ୍ତାନର ମିତ୍ର ରାଷ୍ଟ୍ର କୁହାଯାଉଥିବା ପାକିସ୍ତାନର ଆକାଶ ସୀମାର ଉପଯୋଗ କରାଯାଇଥିଲା । ଆକ୍ରମଣ ବେଳେ ଜବାହିରୀ ସହ ପରିବାରର ଅନ୍ୟ ସଦସ୍ୟମାନେ ବାଲକୋନୀରେ ଛିଡ଼ା ହୋଇଥିଲେ, କିନ୍ତୁ ହେଲଫାୟର କ୍ଷେପଣାସ୍ତ୍ର କେବଳ ଜବାହିରୀକୁ ଟାର୍ଗେଟ୍ କରିଥିଲା ।
୯/୧୧ ଆକ୍ରମଣ ସମୟରେ ରାଷ୍ଟ୍ରପତି ଥିବା ଜଜ୍ ବୁଶ୍ ସଂଘୀୟ ଯାଞ୍ଚ ଏଜେନ୍ସି (ଏଫ୍ବିଆଇ)କୁ ୨୨ ଜଣ ୱାଣ୍ଟେଡ୍ ଟେରରିଷ୍ଟ୍ଙ୍କ ତାଲିକା ଦେଇଥିଲେ । ସେଥିରେ ଲାଡେନ୍ ଓ ଜବାହିରୀର ନାମ ସବା ଉପରେ ଥିଲା । ଏବେ ଜବାହିରୀ ନିହତ ହେବା ପରେ ରାଷ୍ଟ୍ରପତି ବାଇଡନ୍ କହିଛନ୍ତି, ୯/୧୧ ଆକ୍ରମଣର ପ୍ରତିଶୋଧ ନିଆଗଲା, ନ୍ୟାୟ ମିଳିଲା ।
ନୁ୍ୟୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜବାହିରୀ ନିହତ ହେବା ଖବରକୁ ହକ୍କାନୀ ନେଟ୍ୱର୍କ ଗୁପ୍ତ ରଖିବାକୁ ଚେଷ୍ଟା କରିଥିଲା । ସିଆଇଏର ଗୁପ୍ତ ଅଭିଯାନ ସଫଳ ହେବା ସତ୍ତ୍ୱେ ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ହଠାତ୍ ନ ମିଳିବାରୁ ଜବାହିରୀ ନିହତ ହେବା ଖବରକୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଘଟ କରାଯାଇ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *