ଭାରତ-ମାଳଦ୍ୱୀପ ୬ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ (ଏଜେନ୍ସି): ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ମଙ୍ଗଳବାର ୬ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ମଙ୍ଗଳବାର ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଉଭୟ ନେତା ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଦୁଇ ଦେଶ ମଧ୍ୟରେ ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଆବାସ, ବିପର୍ଯ୍ୟୟ ପରିଚାଳନା ଏବଂ ଭିତ୍ତିଭୂମୀ ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ପରିପ୍ରେକ୍ଷୀରେ ଏହି ବୁୂଝାମଣା ପ୍ରସ୍ତାବଗୁଡ଼ିକ ସ୍ୱାକ୍ଷରିତ ହୋଇଛି ।
ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଦୁଇ ଦେଶ ପକ୍ଷରୁ ମିଳିତ ବାର୍ତ୍ତା ଜାରି କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ ରଖି କହିଛନ୍ତି ଯେ, ମାଲଦ୍ୱୀପକୁ ୧ଠ କୋଟି ଡଲାରର ଅତିରିକ୍ତ ଋଣ ସୁବିଧା ପ୍ରଦାନ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ମାଳଦ୍ୱୀପରେ ଚାଲିଥିବା ସମସ୍ତ ପରିଯୋଜନା ସଠିକ୍ ସମୟରେ ଶେଷ ହୋଇପାରିବ । ମୋଦି ଦୁଇ ଦେଶର ସମ୍ପର୍କ ବେଶ ସୁଦୃଢ଼ ହେଉଥିବା କହିଛନ୍ତି । କରୋନା ମାହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ତଥା ବ୍ୟାପକ ଆହ୍ୱାନ ସତ୍ତ୍ୱେ ଭାରତ-ମାଳଦ୍ୱୀପ ସମ୍ପର୍କ ଅଧିକ ବ୍ୟାପକ ରୂପ ନେଇଛି ବୋଲି ମୋଦି କହିଛନ୍ତି । ସେହିପରି ହିନ୍ଦ୍ ମହାସାଗରରେ ଅନ୍ତର୍ଜାତୀୟ ଅପରାଧ, ଆତଙ୍କବାଦ ଏବଂ ନିଶା ଦ୍ରବ୍ୟର ବେଆଇନ ଚାଲାଣ ବଡ଼ ବିପଦ ହୋଇ ଉଭା ହୋଇଥିବା ବେଳେ ଉଭୟ ଭାରତ ଏବଂ ମାଳଦ୍ୱୀପ ଏଦିଗରେ ମିଳିତ ପ୍ରୟାସ ଜାରି ରଖିଛନ୍ତି ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷେ ମାଲଦ୍ୱୀପ ରାଷ୍ଟ୍ରପତି ସୋଲିହ ନିଜ ସମ୍ଭାଷଣରେ କହିଛନ୍ତି, ଆମେ ଆତଙ୍କବାଦ ଏବଂ ବିସ୍ତାରବାଦୀ ନୀତି ଭଳି ବିପଦକୁ ମୁକାବିଲା କରିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ । ମାଲଦୀପ ଭାରତର ପ୍ରକୃତ ବନ୍ଧୁ ହୋଇ ରହିବ ବୋଲି ସୋଲିହ କହିଛନ୍ତି ।
ପ୍ରକାଶ, ନିଜର ଏକ ପ୍ରତିନିଧିମଣ୍ଡଳ ସହ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ, ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷାତ କରିଛନ୍ତି । ସୋମବାର ଦିଲ୍ଲୀରେ ପହଞ୍ଚôବା ପରେ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗତ ସନ୍ଧ୍ୟାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ମାଳଦ୍ୱୀପ ରାଷ୍ଟ୍ରପତି ସୋଲିହଙ୍କୁ ତାଙ୍କ ପ୍ରତିନିଧିମଣ୍ଡଳଙ୍କ ଉପସ୍ଥିତିରେ ସାକ୍ଷାତ କରିଥିଲେ ଏବଂ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *