ଶ୍ରାବଣରେ ଚାଷଜମି ଶୁଖିଲା
ନାଉଗାଁ (ଆପ୍ର): ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ଅସ୍ୱାଭାବିକ ମୌସୁମୀ ପ୍ରବାହ ଯୋଗୁ ନାଉଗାଁରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଶ୍ରାବଣ ଶେଷ ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବର୍ଷା ଅଭାବରୁ ଅନେକ ଚାଷୀ ତଳି ପକାଇ ପାରିନାହାନ୍ତି । ବ୍ଲକ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁନ ଓ ଜୁଲାଇର ତଥ୍ୟକୁ ମିଶାଇ ମୋଟ ୩୧୬ ମିଲି ମିଟର ବର୍ଷା ନାଉଗାଁ ଅଞ୍ଚଳରେ ହୋଇଥିବା ରେକର୍ଡ କରାଯାଇଛି । ଗୋଟିଏ ପଟରେ ବର୍ଷାଜଳର ଅଭାବ ରହିଥିବା ବେଳେ ଅନ୍ୟପଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲରେ ପାଣି ଛଡ଼ା ଯାଉନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନା ଅନୁସାରେ ବ୍ଲକ୍ ଅନ୍ତର୍ଗତ ଜଳସେଚନ ବିଭାଗର ଅଲଣାହାଟ ସେକ୍ସନ ଅଧିନରେ ୧୬(ଏ) ଓ ୧୬(ବି) ମୁଖ୍ୟ କେନାଲ ରହିଛି । ୧୬(ଏ) କେନାଲ ଅଲଣା ପଞ୍ଚାୟତ ଅରଖପାରୀରୁ ବାଲିକୁଦା ବ୍ଲକ୍ ଅଞ୍ଜିରା, ୧୬(ବି) କେନାଲ ଅଲଣା ପଞ୍ଚାୟତରୁ ଜାମୁଗାଁ ପଞ୍ଚାୟତର ଚକୁଳିପଡା ପର୍ଯ୍ୟନ୍ତ ରହିଛି । ଏହି କେନାଲରୁ ଅନେକ ସବ ମାଇନର କେନାଲ ରହିଛି । ଏହି କେନାଲକୁ ପାଣି ଛଡା ଯାଇଥିଲେ ମଧ୍ୟ ଠିକାଦାରଙ୍କ ପକ୍ଷରୁ କେନାଲ ଠିକ୍ ଭାବେ ସଫେଇ ନ ହେବାରୁ କେନାଲର ତଳ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ୧୬(ଏ) କେନାଲରେ ପାଣି ଛଡା ଯାଇଥିଲେ ମଧ୍ୟ ସଫେଇ ଦାୟିତ୍ୱରେ ରହିଥିବା ଠିକାଦାର ସଫେଇ କରୁ ନଥିବାରୁ କେନାଲ ମଧ୍ୟରେ ଘାସ ଲତା ମାଡ଼ିଯାଇଛି ।
ସେହିପରି ଜଳସେଚନ ବିଭାଗର ବିରବରପାଟଣା ସେକ୍ସନ ଅଧିନରେ ୧୯(ଏ),୧୯(ଏ୨), ୧୯(ଏ), ୧୯ (ଏ୨) ଆଦି କେନାଲ ରହିଛି । ୧୯(ଏ) କେନାଲ ଆଳିପିଙ୍ଗଳରୁ ରୋହିଆ ପଞ୍ଚାୟତସ୍ଥିତ ଅନନ୍ତପୁରା, ୧୯ (ଏ୨) କେନାଲ ଦେବୀଦୋଳରୁ ଗୋପାଳପୁର, ୧୯ (ଏ) କେନାଲ ପୁରୁଣାଗଡରୁ ନୂଆଗାଁ, ୧୯ (ଏ୨) କେନାଲ ଭାତପଡାରୁ ଖଇରାହୋଲି ପର୍ଯ୍ୟନ୍ତ ରହିଛି । ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ସବୁ କେନାଲ ଗୁଡିକୁ ସଫେଇ କରାଯାଉ ଥିବା ବେଳେ ସଠିକ୍ ଭାବେ ସଫେଇ ନ ହେବାରୁ କେନାଲର ତଳ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନି ବୋଲି ଚାଷୀ ଆର୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ପ୍ରଦୋଷ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଅଲଣାହାଟ ଜଳସେଚନ ବିଭାଗର ସହାୟକ ଯନ୍ତ୍ରୀ ଇଂ. ଦେବୀ ମିଶ୍ରଙ୍କୁ ପଚାରିବାରୁ କେନାଲକୁ ସଫେଇ କରାଯାଇ ପାଣି ଛଡା ହୋଇଛି ବୋଲି ସଫେଇ ଦେଇଛନ୍ତି ।