ଫରେନ୍ ଫଣ୍ଡିଂ ମାମଲାରେ ଇମ୍ରାନ୍ ଦୋଷୀ
ଇସଲାମାବାଦ୍ (ଏଜେନ୍ସି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ତାଙ୍କ ଦଳ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇ)କୁ ୮ ବର୍ଷ ପୁରୁଣା ଫରେନ୍ ଫଣ୍ଡିଂ (ବିଦେଶୀ ପାଣ୍ଠି) ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି), ଇମ୍ରାନ୍ଙ୍କୁ ଏସଂକ୍ରାନ୍ତରେ ଏକ ନୋଟିସ୍ ଜାରି କରିଛନ୍ତି ଏବଂ ଏଥିରେ ତାଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକୁ କାହିଁକି ଫ୍ରିଜ୍ ବା ସିଜ୍ କରାନଯିବ ସେସମ୍ପର୍କରେ ଜବାବ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯଦି ଇମ୍ରାନ୍ଙ୍କ ଉତ୍ତର ପାକ୍ ନିର୍ବାଚନ ଆୟୋଗଙ୍କ ପକ୍ଷେ ସନ୍ତୋଷଜନକ ନହୁଏ ତେବେ ଇମ୍ରାନ୍ଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ ହେବା ନିଶ୍ଚିତ । ତେବେ ରିପୋର୍ଟ ଲେଖାହେବା ବେଳକୁ ଇମ୍ରାନ୍ ଏବଂ ତାଙ୍କ ଦଳର ପ୍ରାୟ ୧୬ଟି ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରିଦିଆଯାଇଥିବା ସୂଚନା ମିଳିଛି । ଏଥିସହ ଏସବୁ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ଆରବ ଆରବ ପରିମାଣର ଅର୍ଥ ଏବେ ପାକିସ୍ତାନ ସରକାରଙ୍କ ରାଜସ୍ୱକୁ ଚାଲିଯିବାର ମାର୍ଗ ଉନ୍ମୁକ୍ତ ହୋଇଯାଇଛି ।
ଅନେକ ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଇମ୍ରାନ୍ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ଜବାବ ଦିଆଯାଇନାହିଁ । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁସାରେ ତଦନ୍ତ ପ୍ରକ୍ରିୟାରେ ପିଟିଆଇ ୮୮ ଜଣ ବିଦେଶୀ ନାଗରିକ ଏବଂ ୩୫୧ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା (ପ୍ରାୟ ୧.୬୪ ଆରବ ପାକିସ୍ତାନୀ ମୁଦ୍ରା) ଗ୍ରହଣ କରିଥିବା ଜଣାପଡିଛି । ଏସମ୍ପର୍କରେ ପାକ୍ ନିର୍ବାଚନ ଆୟୋଗ ଇମ୍ରାନ୍ଙ୍କୁ ଜବାବ ତଲବ କରିଥିବା ବେଳେ ଇମ୍ରାନ୍ଙ୍କ ଦଳ ପକ୍ଷରୁ ମିଥ୍ୟା ସତ୍ୟପାଠ ଦାଖଲ କରାଯାଇଥିଲା ଏବଂ ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକରେ ଜମାହୋଇଥିବା କଳାଧନ ସମ୍ପର୍କରେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କୁ ପିଟିଆଇ ଅନ୍ଧକାରରେ ରଖିଥିଲା । ଏବେ ଯେତେବେଳେ ଯାଞ୍ଚ୍ ପ୍ରକ୍ରିୟାରୁ ସବୁକିଛି ସ୍ପଷ୍ଟ ହୋଇଯାଇଛି ସେତେବେଳେ ଇମ୍ରାନ୍ ଏବଂ ତାଙ୍କ ଦଳକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସୂଚନାଯୋଗ୍ୟ ପାକିସ୍ତାନର ସାମ୍ବିଧାନିକ ନିୟମ ଅନୁସାରେ ସରକାର ଚଳାଇବା ପାଇଁ, ରାଜନୈତିକ ଦଳ ପରିଚାଳନା ପାଇଁ କିମ୍ବା ନିର୍ବାଚନୀ ବ୍ୟବସ୍ଥା ପାଇଁ କୌଣସି ଦଳ ବା ବ୍ୟକ୍ତିବିଶେଷ ବିଦେଶୀ ପାଣ୍ଠି ଗ୍ରହଣ କରିବା, ସମ୍ପୂର୍ଣ୍ଣ ବେଆଇନ୍ ବିବେଚନା କରାଯାଇଥାଏ ।
ପାକିସ୍ତାନରେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ‘ଦ ନୁ୍ୟଜ୍’ ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ଇମ୍ରାନ୍ ଖାନ୍, ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ମହିଳା ରୋମିତା ସେଟ୍ଟିଙ୍କ ଠାରୁ ପ୍ରାୟ ୧୪ ହଜାର ଡଲାର ଚାନ୍ଦା ଗ୍ରହଣ କରିଥିବା ଦର୍ଶାଯାଇଛି । ଏତଦ୍ବ୍ୟତୀତ ଇମ୍ରାନ୍ ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ନିଜ ମା’ ସୌକତ୍ ଖାନମ୍ଙ୍କ ନାମରେ ନିର୍ମାଣ କରିଥିବା କ୍ୟାନ୍ସର ହସ୍ପିଟାଲ ନାମରେ ମଧ୍ୟ କୋଟି କୋଟି ଟଙ୍କା ବିଦେଶୀ ନାଗରିକଙ୍କ ଠାରୁ ପାଣ୍ଠି ଆକାରରେ ଗ୍ରହଣ କରିଥିବା ଦ ନୁ୍ୟଜ୍ ଦର୍ଶାଇଛି । ସେହିପରି ଇମ୍ରାନ୍, ଲଣ୍ଡନ୍ର ଜଣେ ବ୍ୟବସାୟୀଙ୍କ ଠାରୁ ୧୬ କୋଟି ଚାନ୍ଦା ସୂତ୍ରରେ ଗ୍ରହଣ କରିଥିବା ବେଳେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିଥିବା ଆତଙ୍କବାଦୀ ତଥା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଠାରୁ ମଧ୍ୟ କୋଟି କୋଟି ଟଙ୍କାର ଚାନ୍ଦା ଇମ୍ରାନ୍ଙ୍କ ଦଳୀୟ ପାଣ୍ଠିକୁ ଆସିଥିବା ଏଥିରେ ଉଲ୍ଲେଖ କରାଯାଇଛି ।
ପ୍ରକାଶ, ୧୯୯୬ରେ ଇମ୍ରାନ୍ ପିଟିଆଇ ନାମରେ ଏକ ରଦଳ ଗଠନ କରିଥିଲେ ଏବଂ ଦଳ ଚଳାଇବା ପାଇଁ ସେ ପାଣ୍ଠି ଯୋଗାଡରେ ଲାଗିପଡିଥିଲେ । ତେବେ ୨ଠ୧୪ରେ ଇମ୍ରାନ୍ଙ୍କ ଦଳର ଜଣେ ସଦସ୍ୟ ତଥା ଇମ୍ରାନ୍ଙ୍କ ଏକାନ୍ତ ନିକଟତର କୁହାଯାଉଥିବା ଆକବର୍ ଏସ୍ ବାବର ହିଁ ସର୍ବପ୍ରଥମେ ଇମ୍ରାନ୍ ଏବଂ ତାଙ୍କ ଦଳ ପ୍ରଚୁର ବିଦେଶୀ ପାଣ୍ଠି ଠୁଳ କରୁଥିବା ଅଭିଯୋଗ କରିଥିଲେ । ଏହି ମାମଲାକୁ କୋର୍ଟ ପାକ୍ ନିର୍ବାଚନ ଆୟୋଗଙ୍କୁ ନିକଟକୁ ପଠାଇଦେଇଥିଲେ । ଏସମ୍ପର୍କରେ ଛାନ୍ବିନ୍ କରିବା ସମୟରେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା । ଗତ ୪ବର୍ଷ ମଧ୍ୟରେ ଏହି ମାମଲା ଉପରେ ୯୫ଥର ଶୁଣାଣି ହୋଇଥିବା ବେଳେ ୫୨ଥର ଏହା ଉପରେ ଷ୍ଟେ ଅର୍ଡର ହାସଲ କରିବାରେ ଇମ୍ରାନ୍ ସଫଳ ହୋଇଥିଲେ । ସେତେବେଳେ ଇମ୍ରାନ୍ ପାକିସ୍ତାନ ସେନାର ଅତ୍ୟନ୍ତ ପ୍ରିୟ ଥିବା କାରଣରୁ ଅତି ସହଜରେ ସେ ଏହି ମାମଲାରୁ ବର୍ତ୍ତି ଆସୁଥିଲେ । ଏବେ ଯେତେବେଳେ ଇମ୍ରାନ୍ କ୍ଷମତାଚୁ୍ୟତ ହୋଇସାରିଛନ୍ତି ଏବଂ ତାଙ୍କ ମୁଣ୍ଡ ଉପରୁ ପାକ୍ ସେନାର ହାତ ଉଠିସାରିଛି ସେତେବେଳେ ଇମ୍ରାନ୍ଙ୍କ ପାଇଁ ସମସ୍ୟା ବଢ଼ି ବଢ଼ି ଚାଲିଛି । ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍, ଦିବଂଗତ ବେନଜିର ଭୁଟ୍ଟୋ ମଧ୍ୟ ଆତଙ୍କବାଦୀ ସଂଗଠନଙ୍କ ଠାରୁ ଚାନ୍ଦା ଗ୍ରହଣ କରିଥିବା ଭଳି ଅଭିଯୋଗ ବିଚାରଧୀନ ରହିଛି । ନୱାଜ୍ ସରିଫ୍ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ସହ ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ୍ (ମୃତ) ଠାରୁ ପ୍ରଚୁର ପରିମାଣର ପାଣ୍ଠି ପାଇଥିବା ଅଭିଯୋଗ ରହିଛି ।