ମହିଳା ଲନ୍ ବଲ୍ସ: ଭାରତକୁ ଐତିହାସିକ ସ୍ୱର୍ଣ୍ଣ
ନୂଆଦିଲ୍ଲୀ, ୨ା୮ (ଏଜେନ୍ସି): ଭାରତର ଲନ୍ ବଲ୍ସ ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ପଞ୍ଚମ ଦିନ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ମହିଳାଙ୍କ ଫୋର୍ସ ଫାଇନାଲ୍ରେ ଲଭଲୀ ଚୌବେ (ଲିଡ୍), ପିଙ୍କି (ସେକେଣ୍ଡ), ନୟନମଣି ସାଇକିଆ (ଥାର୍ଡ) ଓ ରୂପା ରାଣୀ ତିର୍କୀ (ସ୍କିପ୍)ଙ୍କ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ମାତ୍ ଦେଇଛି । ସୋମବାର ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଭାରତ ୧୬-୧୩ରେ ନୁ୍ୟଜିଲାଣ୍ଡକୁ ହରାଇ ପ୍ରଥମ ଥର ଫାଇନାଲ୍ରେ ସ୍ଥାନ ପାଇଥିଲା ।
ଏହି ସଫଳତା ସହ ବର୍ମିଂହାମ୍ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଚାରିରେ ପହଞ୍ଚିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯୨ ବର୍ଷର ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ଲନ୍ ବଲ୍ ଟିମ୍ କୌଣସି ପଦକ ଜିତିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରୁ ଭାରତୀୟ ଟିମ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଭାରତୀୟ ଟିମ୍ ଗୋଟିଏ ସମୟରେ ୮-୨ରେ ଅଗ୍ରଣୀ ଥିଲା । ଥାବେଲୋ ମୁଭାଙ୍ଗୋ (ଲିଡ୍), ବ୍ରିଡ୍ଜେଟ୍ କଲିଜ୍ (ସେକେଣ୍ଡ), ଏସ୍ମେ କ୍ରୁଗର (ଥାର୍ଡ) ଓ ଜୋହନ୍ନା ସିମାନ (ସ୍କିପ୍)ଙ୍କ ନେଇ ଦକ୍ଷିଣ ଆଫ୍ରିକୀୟ ଟିମ୍ ସ୍କୋର୍କୁ ୮-୮ ସ୍ଥିତିରେ ପହଞ୍ଚାଇଥିଲେ । ତେବେ ଭାରତୀୟ ଟିମ୍ ପ୍ରତ୍ୟାବର୍ତ୍ତନ କରି ଅଗ୍ରଣୀ ହାସଲ କରିବା ସହ ମ୍ୟାଚ୍ ଉପରେ କବ୍ଜା କରିଥିଲା ।