ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ମହିଳା ସଂଘ
ଛତ୍ରପୁର (ଆପ୍ର): ପାନୀୟ ଜଳର ଅଭାବ ନେଇ ବହୁ ଅଧିକାରୀ, ବିଧାୟକ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇବା ସହିତ ସମାଧାନ ପାଇଁ ବହୁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଶେଷରେ ଅଣ୍ଟା ଭିଡ଼ିଛନ୍ତି ଗ୍ରାମର ମହିଳା ସଂଘ ସଦସ୍ୟାମାନେ । ଗଞ୍ଜାମ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା କୁମାରବେଗପଲ୍ଲୀ ଗ୍ରାମବାସୀ ଦୀର୍ଘଦିନ ହେଲା ଜଳକଷ୍ଟ ଭୋଗୁଥିବାବେଳେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଗ୍ରାମରେ ୪ଶହ ଘରରୁ ଊଦ୍ଧ୍ୱର୍ ପରିବାର ବାସ କରନ୍ତି । ଗ୍ରାମରେ ୮ ଟି ନଳକୂପ ରହିଥିଲେ ସୁଦ୍ଧା ସେଥିରୁ ମାତ୍ର ଦୁଇଟି କାର୍ଯ୍ୟରେ ଲାଗୁଛି । ସେଥିରୁ ବାହାରୁ ଥିବା ପାଣି ବ୍ୟବହାର ଉପଯୋଗୀ ନୁହେଁ । ଟାଙ୍କି ନିର୍ମାଣ ସରିଛି, ପାଇପ୍ ବିଛାଇ ଘର ଦାଣ୍ଡରେ ଟ୍ୟାପ୍ ମଧ୍ୟ ଲାଗିଛି । ମାତ୍ର ସେଥିରେ ପାଣି ଆସୁ ନ ଥିବାରୁ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି ।
ଗ୍ରାମବାସୀ ବାରମ୍ବର ଅଭିଯୋଗ କଲେ ସମ୍ପୃକ୍ତ ଅଧିକାରୀ କହୁଛନ୍ତି ଏଠାରେ ପାଣିର ସନ୍ଧାନ ମିଳୁନି । ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିବା ଅଭିଯୋଗ କରିଛନ୍ତି ମହିଳା ସଂଘର ସଦସ୍ୟା । ଖାଲି ସେତିକି ନୁହଁ, ଅନ୍ୟ କିଛି ବିକଳ୍ପ ନ ଥିବାରୁ ଗ୍ରାମରେ ଥିବା ପୋଖରୀ ଓ ଦୁଇଟି ନଳକୂପର ଦୂଷିତ ପାଣିକୁ ଗାଧୋଇବା ଓ ସଫା କରିବାରେ ବ୍ୟବହାର କରୁଥିବାବେଳେ ଗ୍ରାମ ଦେଇ ହଂସପୁରରୁ ଛତ୍ରପୁରକୁ ସଂଯୋଗ ହୋଇଥିବା ପିଏଚ୍ଡ଼ି ପାଇପ୍କୁ ହୋଲ୍ କରି ପିଇବା ପାଇଁ ପାଣି ନେଉଛନ୍ତି । ତାହା ପୁଣି ଅଧିକାରୀଙ୍କ ତାଗିଦ ଓ ନାଲିଆଖକୁ ବିରୋଧ କରି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ନ ହେବାରୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଶହେରୁ ଊଦ୍ଧ୍ୱର୍ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆନେ୍ଦାଳନରତ ମହିଳାଙ୍କୁ ବୁଝାଇବା ସହ ୩ରୁ ୭ ଦିନ ମଧ୍ୟରେ କିଛି ବ୍ୟବସ୍ଥା କରି ଆଞ୍ଚଳିକ ମାତ୍ରାରେ ପାଣି ଯୋଗାଣ କରାଯିବ ଏବଂ ସ୍ଥାୟୀ ସମାଧାନ ପାଇଁ ଅନ୍ୟ ବିକଳ୍ପ କାର୍ଯ୍ୟକ୍ଷମ କରି ସମ୍ପୂର୍ଣ୍ଣ ଭାବେ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।