ବାରଣ୍ଡାରେ ପାଠପଢ଼ା

ଅଙ୍ଗନୱାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା
ଧାମନଗର (ଆପ୍ର): ସରକାର ଅଙ୍ଗନୱାଡ଼ି କେନ୍ଦ୍ରକୁ ଗୁରୁତ୍ୱଦେଇ ବିଭିନ୍ନ କେନ୍ଦ୍ରରେ କୋଠା ନିର୍ମାଣ କରୁଛନ୍ତି । ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଅଙ୍ଗନୱାଡ଼ିକୁ ଆସିବାପାଇଁ ବିଭିନ୍ନ ପ୍ରକାର ଆକର୍ଷଣ ପାଇଁ ଖେଳ ସାମଗ୍ରୀ ଯୋଜାଇ ଦେଉଛନ୍ତି । ହେଲେ ଧାମନଗର ବ୍ଲକ୍ରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଗତି ତଳକୁ ତଳକୁ ହେଉଥିବା ପରିଲକ୍ଷିତ ହେଉଛି ।
ବ୍ଲକ୍ର ମହିଳା ଓ ଶିଶୁ ସମନ୍ୱିତ ବିକାଶ ଯୋଜନା ଅଧୀନରେ ୩୫୩ ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ ସେଥିରୁ ୫୮ଟି ମିନି ଅଙ୍ଗନୱାଡ଼ି ରହିଛି । ଏଥିରୁ ୧୫୬ଟି ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି । ହେଲେ ବ୍ଲକ୍ର ପ୍ରାୟ ୫୧ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଆଜିସୁଦ୍ଧା ଘର ତିଆରି ହୋଇପାରୁନାହିଁ । ଅପରପକ୍ଷେ ୪୨ଟି କେନ୍ଦ୍ରରେ ଗୃହ ତିଆରି କରାଯାଇ ଅଧାରୁ ଠିକାଦାର ଫେରାର ହୋଇଥିବାବେଳେ ୫ଟି ଅଙ୍ଗନୱାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ ତିଆରି ସରିଥିଲେ ମଧ୍ୟ ଠିକାଦାର ଘର ତିଆରି ପଇସା ପାଇ ନ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଚାବି ହସ୍ତାନ୍ତର କରୁନାହାନ୍ତି । ଫଳରେ ଅନେକ ସ୍ଥାନରେ କୁନି କୁନି ପିଲାମାନେ ବର୍ଷା, ଖରା ଓ ଶୀତରେ ନାହିଁ ନ ଥିବା ଅସୁବିଧାରେ ପାଠ ପଢୁଛନ୍ତି । ଘର ନ ଥିବାରୁ ଆଜି କାହା ପିଣ୍ଢାରେ ତ କାଲି କାହା ଘରେ, କେବେ ମନ୍ଦିରରେ ତ କେବେ କ୍ଲବ୍ ଘରେ ବସି ପାଠ ପଢୁଛନ୍ତି ।
ଦୋବଲ ପଞ୍ଚାୟତର ୭ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ମଧ୍ୟ ଆଜିସୁଦ୍ଧା ଗୋଟିଏ ଘର ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । କେତେକ କେନ୍ଦ୍ରରେ ଇଟାଖଣ୍ଡେ ଜୋଡ଼ା ହୋଇ ନ ଥିବାବେଳେ ଆଉ କେଉଁଠି ଅଧାଘର ତିଆରି ହୋଇ ପଡ଼ି ରହିଛି । ସୋଧରେ ବାହୁବଳେନ୍ଦ୍ର ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ସ୍ଥାନୀୟ ସ୍କୁଲ୍ରେ ଗୃହ ନିର୍ମାଣ ଚାଲିଥିଲେ ମଧ୍ୟ କୋର୍ଟରେ ମାମଲା ଥିବାରୁ ସେଠାରେ ମଧ୍ୟ ଘର ଅଧାରୁ ବନ୍ଦ ହୋଇଛି । ଏପରିକି ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥାୟୀ ଗୃହ ନ ଥିବାରୁ କେନ୍ଦ୍ରକୁ ମିଳୁଥିବା ସରକାରୀ ଯୋଜନାର ଚାଉଳ, ଅଣ୍ଡା, ଛତୁଆ ଇତ୍ୟାଦିକୁ କର୍ମୀମାନେ ଏଣେତେଣେ ରଖିବାକୁ ପଡ଼ୁଛି । ସେଥିରୁ ମଧ୍ୟରୁ ଅନେକ ସାମଗ୍ରୀ ମଧ୍ୟ ବାଟମାରଣ ହେଉଥିବା ଅଭିଯୋଗ ହେଉଛି । ପିଲାଙ୍କୁ ରୋଷେଇ କରି ଖାଦ୍ୟଦେବାର ବ୍ୟବସ୍ଥା ଥିବାବେଳେ ଘର ନ ଥିବାରୁ ଅନେକ ସମୟରେ ହଇରାଣ ହେବାକୁ ପଡ଼ୁଛି । ଏଣୁ ଏଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ ଧାମନଗର ବ୍ଲକ୍ରେ ଅଙ୍ଗନୱାଡ଼ି କେନ୍ଦ୍ରର ଜାଗା ସମସ୍ୟା, ଅଧାପନ୍ତରିଆ ଘର ଓ ମୋଟେ ଘର ତିଆରି ହୋଇନଥିବା କେନ୍ଦ୍ର ପ୍ରତି ଗୁରୁତ୍ୱ ଦେଇ ସମସ୍ୟା ସମାଧାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *