୨୮ରେ ଭାରତ-ପାକ୍ ମୁକାବିଲା
ଦୁବାଇ, ୨ା୮ (ଏଜେନ୍ସି): ଭାରତ ଓ ପାକିସ୍ତାନ ଚଳିତ ମାସରେ ଟି-୨୦ ମ୍ୟାଚ୍ ଖେଳିବେ । ମଙ୍ଗଳବାର ଏସିଆ କପ୍ର କାର୍ଯ୍ୟସୂଚୀ ଜାରି କରାଯାଇଛି । ତଦନୁଯାୟୀ ଗ୍ରୁପ୍-ଏ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍ ଦୁବାଇ ଠାରେ ଅଗଷ୍ଟ ୨୮ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୧ରେ ଖେଳାଯିବ ।
ଏଥି ପୂର୍ବରୁ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍ରେ ଖେଳିଥିଲେ । ୨୦୨୧ ଅକ୍ଟୋବର ୨୪ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ପାକିସ୍ତାନ ୧୦ ୱିକେଟ୍ରେ ହରାଇଥିଲା । ଏଥର ଭାରତ ପାଖରେ ସେହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ । ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବ ।
ଭାରତ ସାତ ଥର ଚାମ୍ପିଅନ୍
ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟର ୧୩ ସଂସ୍କରଣରେ ଭାଗ ନେଇସାରିଛି ଏବଂ ସର୍ବାଧିକ ସାତ ଥର ଚାମ୍ପିଅନ୍ ହୋଇଛି । ଏହାଛଡ଼ା ଟିମ୍ ତିନି ଥର ଫାଇନାଲ୍ ଯାଏଁ ପହଞ୍ଚିଥିଲା, ହେଲେ ଜିତିପାରି ନ ଥିଲା । ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି, ଯିଏକି ପାଞ୍ଚ ଥର ଚାମ୍ପିଅନ୍ ହୋଇଛି । ପାକିସ୍ତାନ ଟିମ୍ ଦୁଇ ଥର ଏହି ମୁକୁଟ ଜିତିଛି ।
ଏଥର ଏସିଆ କପ୍ ଟ୍ୱେଣ୍ଟି-୨୦ ଫର୍ମାଟ୍ରେ ଖେଳାଯିବ । ଶେଷ ଥର ୨୦୧୮ରେ ଏହା ୫୦ ଓଭର୍ ବିଶିଷ୍ଟ ଥିଲା । ଭାରତ ସେଥିରେ ମୁକୁଟ ଜିତିଥିଲା ।
ଅଗଷ୍ଟ ୨୧ରୁ କ୍ୱାଲିଫାୟର
ଏସିଆ କପ୍ କ୍ୱାଲିଫାୟର ମ୍ୟାଚ୍ ଅଗଷ୍ଟ ୨୧ରୁ ଆରମ୍ଭ ହେବ । ଏଥିରେ ୟୁଏଇ, ଓମାନ, ନେପାଳ, ହଂକଂ ସମେତ ଅନ୍ୟ ଟିମ୍ ଭାଗ ନେବେ । ସେଥିମଧ୍ୟରୁ ଗୋଟିଏ ଟିମ୍ ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ଅର୍ଜନ କରିବ । ମୁଖ୍ୟ ଡ୍ରରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ପୂର୍ବରୁହିଁ ସ୍ଥାନ ପାଇସାରିଛି । ଶେଷ ଥର ଏସିଆ କପ୍ ପ୍ରତିଯୋଗିତା ୨୦୧୮ରେ ୟୁଏଇ ଠାରେ ଆୟୋଜନ କରାଯାଇଥିଲା ।
ଏଥର ଏହି ମେଗା ଇଭେଣ୍ଟ ଶ୍ରୀଲଙ୍କାରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା, ହେଲେ ସେଠାରେ ଗୃହଯୁଦ୍ଧ ଦେଖାଯାଇଥିବାରୁ ଟୁର୍ଣ୍ଣାମେଣ୍ଟକୁ ଶେଷ ମୁହୂର୍ତ୍ତରେ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆୟୋଜନ ଅଧିକାର ଶ୍ରୀଲଙ୍କା ବୋର୍ଡ ପାଖରେ ରହିବ ।