୩୫ ହଜାର କାଉଡ଼ିଆଙ୍କ ଜଳଲାଗି
ଶ୍ରାବଣର ତୃତୀୟ ସୋମବାର
ପୁରୀ (ବୁ୍ୟରୋ): ଶ୍ରାବଣ ମାସ ସୋମବାରରେ ରାଜ୍ୟର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା ବେଳେ ପୁରୀସ୍ଥିତ ଶ୍ରୀଲୋକନାଥ ପୀଠ ଅନ୍ୟତମ । ତେଣୁ ତୃତୀୟ ବାରରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିବା ପାଇଁ ରବିବାର ବିଳମ୍ବିତ ରାତିରୁ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା । ତୃତୀୟ ପାଳିରେ ୩୫ ହଜାରରୁ ଊଦ୍ଧ୍ୱର୍ କାଉଡ଼ିଆ ଶ୍ରୀଲୋକନାଥଙ୍କ ମସ୍ତକରେ ଜଳଲାଗି କରିଥିଲେ । ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁ ଶ୍ରୀଲୋକନାଥଙ୍କ ନୀତିକାନ୍ତି ଆରମ୍ଭ କରାଯାଇ ଦ୍ୱାର ଖୋଲା ଯାଇଥିଲା । ରାତି ୧୨ଟାରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା ବେଳେ ପରେ ଅନ୍ୟାନ୍ୟ ନୀତି ବଢ଼ିବା ପରେ କାଉଡ଼ିଆମାନେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଟିକେଟ୍ କାଟି କାଉଡ଼ିଆମାନେ ବାରିକେଡ୍ରେ ଯାଇ ଜଳଲାଗି କରିଥିଲେ । ହଜାର ହଜାର କାଉଡ଼ିଆଙ୍କ ଭିଡ଼କୁ ଲକ୍ଷ୍ୟ କରି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ପୁଲିସ ତରଫରୁ ଜଣେ ଅତିରିକ୍ତ ଏସ୍ପିଙ୍କ ସମେତ ୪ ଥାନାଧିକାରୀ ଓ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନାଥାଉକି, ଆଜିର ଦିନରେ ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଜଳଲାଗି ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ରାଜ୍ୟର ପ୍ରତ୍ୟେକ ଶୈବପୀଠମାନଙ୍କ ମଧ୍ୟରୁ ଶ୍ରୀଲୋକନାଥ ପୀଠ ଅନ୍ୟତମ । ସେଥିପାଇଁ ଏହି ପୀଠକୁ ରାଜ୍ୟର କୋଣଅନୁକୋଣର କାଉଡ଼ିଆମାନେ ମାନସିକ କରି ଜଳଲାଗି କରିବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଛନ୍ତି ।