ହଟ୍ଟଗୋଳରେ କଟିଲା ଶେଷ ଦିନ
୩ ଦିନ ପୂର୍ବରୁ ବଜେଟ ଅଧିବେଶନ ଶେଷ
ଭୁବନେଶ୍ୱର, ୧ା୮ (ବୁ୍ୟରୋ): ଶେଷ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ବିଧାନସଭାର ଏହି ବଜେଟ୍ ଅଧିବେଶନ ଶେଷ ହୋଇଛି । ଗୃହରେ ଆଲୋଚନା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଛନ୍ତି । ସୋମବାର ଶେଷ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବିଭିନ୍ନ ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଓ ମୁଲତବୀ ହୋଇଥିଲେ ମଧ୍ୟ ଶେଷରେ ଶାନ୍ତିଶୃଙ୍ଖଳା ସହ ଅଧିବେଶନ ଶେଷ ହୋଇଥିବା ନଜରକୁ ଆସିଛି ।
ସୂଚନା ମୂତାବକ, ସୋମବାର ବିଧାନସଭା ଶେଷ ହୋଇଥିବାବେଳେ ଗୃହରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଛି । ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇବା ପାଇଁ ବିଜେପି ସଦସ୍ୟୟ ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ କରିବାକୁ ଆବେଦନ କରିଥିଲେ । କିନ୍ତୁ ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ଥିବାରୁ ବାଚସ୍ପତି ଶ୍ରୀ ଆରୁଖ ଏହାକୁ ଅଗ୍ରାହ୍ୟ କରିବାକୁ ବାରଣ କରିଥିଲେ । କିନ୍ତୁ କମିସନ ତଦନ୍ତ କରୁଛନ୍ତି, ୨୦୧୪ରେ ତତ୍କାଳୀନ ବାଚସ୍ପତି,
ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ । ହେଲେ ବିରୋଧୀମାନେ ବାରମ୍ବାର ଗୃହ ମଧ୍ୟରେ ଏନେଇ ହଟ୍ଟଗୋଳ କରିବାରୁ ବାଚସ୍ପତି ପ୍ରଥମେ ଗୃହକୁ ୧୦ଟା ୩୫ରୁ ୧୧ଟା ୩୦ ଯାଏ ମୂଲତବୀ କରିଥିଲେ । ପରେ ୧୧ଟା ୩୫ରୁ ୧୧ଟା ୫୫ ଯାଏଁ ଓ ପୁର୍ନବାର ୧୧ଟା ୫୫ରୁ ୧୨ଟା ୧୦ ଯାଏ ଗୃହକୁ ମୂଲତବୀ ରଖାଯାଇଥିଲା ।
ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ଓ ମରୁଡ଼ି ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ଏହି ମଧ୍ୟରେ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକିବା ସହ ପ୍ରସଙ୍ଗକୁ ଆପୋଷ ବୁଝାମଣା ମଧ୍ୟରେ ସମାଧାନ କରିବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ । ସୋମବାର ଗୃହର ଶେଷ ଦିନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହେବାର ଥିଲା । କିନ୍ତୁ ବିରୋଧୀଙ୍କ ଜିଦ୍ ଓ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୂଲତବୀ କରିଥିଲେ ।
ଚଳିତ ଅଧିବେଶନକୁ ଦୁଇ ପର୍ଯ୍ୟାୟରେ ହୋଇଥିବାବେଳେ ମୋଟ୍ ୨୧ଟି କାର୍ଯ୍ୟ ଦିବସରେ ଅଧିବେଶନ ଚାଲିଛି । ଏଥିରେ ୨ଟି ସରକାରୀ କାର୍ଯ୍ୟ ଦିବସ ଅର୍ନ୍ତଭୁକ୍ତ ଥିବାବେଳେ ମୋଟ୍ ୨୧୫୬ଟି ତାରକା ଚିହ୍ନଟ ପ୍ରଶ୍ନ ଓ ୨୭୯୭ଟି ଅଣତାରକା ଚିହ୍ନଟ ପ୍ରଶ୍ନ ଆଗତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ପ୍ରଶ୍ନକାଳରେ ୫୮ଟି ପ୍ରଶ୍ନର ଉତ୍ତର ଦେଇଥଥିବାବେଳେ ମୋଟ୍ ୩୭୮୪ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପନ ହୋଇଛି । ସେହିପରି ଏହି ସମୟ ମଧ୍ୟରେ ଗୃହରେ ୧୧ଟି ମୁଲତବି ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିବାବେଳେ ୪୩ଟି କାଗଜ ଉପସ୍ଥାପନ, ୧୪ଟି ବାର୍ଷିକ ରିପୋର୍ଟ, ୪୩ଟି କମିଟି ରିପୋର୍ଟ, ୩୭ଟି ନିବେଦନ, ୭ଟି ବିବୃତ୍ତି, ୮ଟି ସରକାରୀ ବିଧେୟକ ପ୍ରସ୍ଥାପନ ହୋଇଥିବାବେଳେ ସେଥିରୁ ୭ଟି ପାରିତ ହୋଇଛି ।
ସେହିଭଳି ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ହାଇଥିବାବେଳେ ଅନ୍ୟ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଛି । ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିବା ୨ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିଛି । ଅଧିବେଶନ କାଳରେ ୨ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଜାତୀୟ କଂଗ୍ରେସ ମୁଖପାତ୍ର ଓ କଂଗ୍ରେସ ସାଂସଦଙ୍କ ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ସହ ବିରୋଧିଦଳ ପକ୍ଷରୁ ଘରୋଇ କମ୍ପାନୀର ସରକାରୀ ସମ୍ପତ୍ତି ଜବତ ଏବଂ ଚିଟ୍ଫଣ୍ଡ ତଦନ୍ତ ସଂକ୍ରାନ୍ତରେ ଦିଆଯାଇଥିବା ମୁଲତବୀ ନୋଟିସ୍କୁ ଗ୍ରହଣ କରାନଯିବାରୁ ଏହାକୁ ନେଇ ମଧ୍ୟ ଗୃହରେ ବିରୋଧି ସଦସ୍ୟମାନେ ହଟଗାଳ କରିଛନ୍ତି ।
ସେହିପରି କୋଟିଆ, କାଶୀପୁର ଝାଡାବାନ୍ତି, ମାଲକାନଗିରିରେ ମହିଳାଙ୍କ ଉପରେ ପୁଲିସ୍ର ଆକ୍ରମଣ ପ୍ରସଙ୍ଗରେ ବାଚସ୍ପତିଙ୍କ ନିଦେ୍ର୍ଦଶକ୍ରମେ ମନ୍ତ୍ରୀମାନେ ବିବୃତ୍ତି ଦେଇଥିଲେ । ସେହିଭଳି ରତ୍ନଭଣ୍ଡାର ଚାବି ଖୋଲିବା, ବେକାରୀ ସମସ୍ୟା, ବିଧାୟକଙ୍କ ଦରମା ବୃଦ୍ଧି, ଠିକା ନିଯୁକ୍ତି, ଖାଦ୍ୟ ସୁରକ୍ଷା ଆଇନ୍ରେ ଅପେକ୍ଷାରତ ହିତାଧିକାରୀଙ୍କୁ ସାମିଲ, ଚାଷୀଙ୍କୁ ଫସଲବୀମା ଅର୍ଥ ପ୍ରଦାନ, ଉତ୍ପାଦିତ ପନିପରିବାର ବଜାର ବ୍ୟବସ୍ଥା ଆଦି ପ୍ରସଙ୍ଗରେ ମଧ୍ୟ ଗୃହରେ ଉଦ୍ବେଗ ପ୍ରକାଶ ପାଇଥିଲା । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ବଜେଟ୍ ଅଧିବେଶନ ବସିଥିବାରୁ ଚଳିତ ଥର ଗୃହରେ ନୂଆ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଉତ୍ତର ରଖିଥିଲେ । ନୂଆ ବାଚସ୍ପତି ଶ୍ରୀ ଆରୁଖ ଗୃହକୁ ସୁରୁଖୁରୁରେ ଚଳାଉଥିବାବେଳେ ଆବଶ୍ୟକ ସ୍ଥଳେ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଅଧିଷ୍ଠାତା ମଣ୍ଡଳୀ ସଦସ୍ୟମାନେ ତାଙ୍କୁ ସହଯୋଗ କରିଥିବା ନଜରକୁ ଆସିଛି ।