ଏପର୍ଯ୍ୟନ୍ତ ଫେରିଲାନି ରୁପା ଇଟା
ନୂଆ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବର୍ଷେ ବିତିଲା
ପୁରୀ (ବୁ୍ୟରୋ): ବହୁଚର୍ଚ୍ଚିତ ଏମାର ମଠରୁ ଜବତ ହୋଇଥିବା ରୁପା ଇଟା ଶ୍ରୀମନ୍ଦିରକୁ ଫେରିବ କେବେ । ଏହାକୁ ନେଇ ଆଲୋଚନା ଜୋର୍ ଧରିଛି । ଶ୍ରୀମନ୍ଦିର ପରିଚାଳନା ଲାଗି ନୂଆ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ପୁରୁଣା ମୁହଁ ସହ ନୂଆ ମୁହଁ ରହିଛନ୍ତି । ୨୦୨୧ମସିହା ଅଗଷ୍ଟ ୨୫ରେ ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ଏହା ମଧ୍ୟରେ ପାଖାପାଖି ୧ବର୍ଷ ବିତିଲାଣି, କିନ୍ତୁ କମିଟି ରୁପା ଇଟା ଫେରାଇ ଆଣିବା ଲାଗି କୌଣସି ଉଦ୍ୟମ ଆରମ୍ଭ କରିନାହାନ୍ତି । ୨୦୧୧ ମସିହା ନଭେମ୍ବରରେ ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରାଯାଇଥିଲା । ସେହି ସମୟରେ ଯାହାର ଆନୁମାନିକ ମୂଲ୍ୟ ଥିଲା ୯୦ କୋଟି ଟଙ୍କା । ଏହି ଘଟଣାରେ ମଠମହନ୍ତ, ପରିଚାଳକ, ଜଣେ ଗହଣା ବ୍ୟବସାୟୀଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା ।
ଏମାର ମଠ ମରାମତି ସମୟରେ ରୁପା ଇଟାର ସନ୍ଧାନ ମିଳିଥିଲା । ଢେଙ୍କାନାଳର ଜଣେ ଶ୍ରମିକ ଗୋଟିଏ ରୁପା ଇଟା ମଠରୁ ଚୋରି କରି ସେଠାରେ ବିକ୍ରି କରୁଥିବା ସମୟରେ ସ୍ଥାନୀୟ ପୁଲିସ ନଜରରେ ଆସିଥିଲେ । ସମ୍ପୃକ୍ତ ଶ୍ରମିକକୁ ଗିରଫ କରି ପଚରାଉଚରା କରିବା ପରେ ସମ୍ପୃକ୍ତ ଘଟଣା ଲୋକଲୋଚନକୁ ଆସିଥିଲା । ପରେ ଢେଙ୍କାନାଳ ପୁଲିସଠାରୁ ସୂଚନା ପାଇ ପୁରୀ ସିଂହଦ୍ୱାର ଥାନା ପୁଲିସ ଏମାର ମଠକୁ ଯାଇ ଛାନଭିନ୍ କରିଥିଲା । ସେଠାରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରି ପୁଲିସ ଆରମ୍ଭ କରିଥିଲା ତଦନ୍ତ । ତଦନ୍ତ ସମୟରେ ଘଟଣାର ସମ୍ପୂର୍ଣ୍ଣ ବିବିରଣୀ ପୁଲିସର ହସ୍ତଗତ ହୋଇଥିଲା । ପୂର୍ବରୁ କେତୋଟି ଇଟା ତତ୍କାଳୀନ ମଠମହନ୍ତ ସେଠାରୁ ଆଣି ଜଣେ ଗହଣା ବ୍ୟବସାୟୀଙ୍କୁ ଦେବା ପରେ ତା’ର ପ୍ରତି ବଦଳରେ ମଠମହନ୍ତ ସୁନା ହାସଲ କରିଥିଲେ । ଏସବୁ ଘଟଣା ମଠର ତକ୍ରାଳୀନ ପରିଚାଳକ ଓ ଆଉ କେତେକ ମଧ୍ୟସ୍ଥିଙ୍କ ଜରିଆରେ ବେପାର କରାଯାଇଥିଲା । ପରେ ପୁଲିସ ମଠର ଭୂତଳ କୋଠରୀକୁ ଭାଙ୍ଗି ସେଠାରେ ପହଞ୍ଚôବା ପରେ ମହଣ ମହଣ ରୁପା ଇଟାର ସନ୍ଧାନ ପାଇଥିଲା । ଏହି ଘଟଣା ସେହି ସମୟରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଘଟଣାର ପ୍ରାୟ ୧୧ବର୍ଷ ପରେ ପୁଣି ରୁପା ଇଟା ଶ୍ରୀମନ୍ଦିରକୁ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି । ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାସ ଓ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଜବତ ରୁପା ଇଟାକୁ ଆଣି ରତ୍ନ ଭଣ୍ଡାରରେ ରଖିବାକୁ ଦାବି କରିଛନ୍ତି ।
ବର୍ଷ ବର୍ଷ ଧରି ଜବତ ରୁପା ଇଟା ଏବେ ଗୋଟିଏ କୋଠରୀରେ ପଡ଼ି ରହିଥିଲେ ମଧ୍ୟ ତା’ର ସୁବିନିଯୋଗ କରାଯାଇପାରୁନି । ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ତା’ର ମାଲିକାନା ସତ୍ତ୍ୱ କେହି ଜାହିର କରିପାରୁନାହାନ୍ତି । ରୁପା ଇଟାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି । ମଠ ଜମିର ମାଲିକାନା ଶ୍ରୀଜଗନ୍ନାଥ ହୋଇଥିବାରୁ ସେଠାରୁ ଜବତ ହୋଇଥିବା ଇଟା କାହିଁକି ଏତେବର୍ଷ ଧରି ଟ୍ରେଜେରୀରେ ରଖାଯାଇଛି ବୋଲି ଆଲୋଚନା ଜୋର୍ ଧରିଛି ।