ଘରେ ଘରେ ଥଣ୍ଡା ଜ୍ୱର: ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା

ପାତ୍ରପୁର (ଆପ୍ର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଘରେ ଘରେ ଥଣ୍ଡା ଜ୍ୱର ଆତଙ୍କ ସୃଷ୍ଟି ହୋଇଛି । ବର୍ଷାଦିନ ଚାଲିଥିବା ବେଳେ ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ବେଳେ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିବା ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ପାତ୍ରପୁର ବ୍ଲକ୍ ଗୁଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ସୁନାଖଳା ଗ୍ରାମରେ ଥଣ୍ଡା, ଜ୍ୱର ଓ ଝାଡ଼ା ଆତଙ୍କ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ସୁନାଖଳା ଗ୍ରାମରେ ଥିବା ଉପସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେବ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଗାଁ ମାନଙ୍କରେ ଥଣ୍ଡା, ଜ୍ୱର ହେଲେ ଲୋକେ ମୁଖ୍ୟତଃ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଉପସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ରହିବା ଯୋଗୁ ସାଧାରଣ ଲୋକେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଘରୋଇ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସାଧାରଣତଃ ସୁନାଖଳା, ବନମାଳିପୁର, ମଦନପୁର, ଲଙ୍କା ୠ୍ରାମର ଲୋକେ ନିର୍ଭର କରନ୍ତି । ଉପସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ରହିବା ଦ୍ୱାରା ଲୋକେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ ଜରଡ଼ା ତଥା ପାତ୍ରପୁର ଯାଇ ଚିକିତ୍ସିତ ହୋଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଉପସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରୁିଛନ୍ତି । ମାତ୍ର ସୁନାଖଳାଠରେ ପ୍ରତିଷ୍ଠିତ ଉପସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ ପର ଠାରୁ ବନ୍ଦ ପଡ଼ିଥିଲା । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଦାୟିତ୍ୱରେ ଥିବା ଏଏନ୍ଏମ୍ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ସେ ପ୍ରସବକାଳୀନ ଛୁଟିରେ ୨୦୨୧ ଏପ୍ରିଲ ମାସ ଠାରୁ ଯାଇଛନ୍ତି । ଏନେଇ ସଂପୃକ୍ତ ଏଏନ୍ଏମ୍ଙ୍କ ସହ ଯୋଗାଯୋଗ କରିବାରୁ ଛୁଆ ଛୋଟ ଥିବାରୁ ଦିନ ବେଳା ଯାହା କାମ କରୁଛି, ରାତ୍ରୀକାଳୀନ ଜରୁରି ସେବା ପାଇଁ ଆଶା କର୍ମଚାରୀ ଅଛନ୍ତି ବୋଲି କହିଛନ୍ତି । ତେବେ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବଦା ସ୍ୱାସ୍ଥ୍ୟସେବା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *