ଜଳିଗଲା ତଳି: କ୍ଷେତ୍ର ପରିଦର୍ଶନ କଲେ ଅଧିକାରୀ

ଶ୍ରାବଣରେ ବୈଶାଖର ତାତି
ଛତ୍ରପୁର (ଆପ୍ର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ରେ ଜମିକୁ ଜଳସେଚନର ସୁବିଧା ନାହିଁ । ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ । କିନ୍ତୁ ଗତ କିଛି ବର୍ଷ ହେବ ବ୍ଲକ୍ରେ ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି । ଚାଷ ଛାଡ଼ି ବାହାର ରାଜ୍ୟକୁ ଦାଦନ ଯିବାକୁ ଗୋଡ଼ କାଢ଼ିଲାଣି ଚାଷୀ । ଶ୍ରାବଣ ମାସ ଅଧା ଯାଇଥିଲେ ହେଁ ଆବଶ୍ୟକଠାରୁ କମ୍ ବର୍ଷା ହୋଇଛି । ବର୍ଷାର ଅଭାବ ଯୋଗୁଁ ବ୍ଲକ୍ରେ ମରୁଡ଼ି ଆଶଙ୍କା ଦେଖା ଦେଲାଣି । ପ୍ରାୟ ୩ସପ୍ତାହରୁ ଊଦ୍ଧ୍ୱର୍ ହେବ ଛତ୍ରପୁରରେ ବର୍ଷା ହେଉନାହିଁ । ଚାଷୀ ମୋଟରରେ ପାଣି ସିଞ୍ଚନ କରି ତଳିକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଯେଉଁ ଜମିରେ ରୁଆ ସରିଛି ସେଠାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜମି ଫାଟି ଆଁ କଲାଣି । ସୋମବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, କୃଷି ଅଧିକାରୀ ବିଦୁର ସେଠ୍ ମାଝୀ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଛତ୍ରପୁର ବ୍ଲକର ପୋଡ଼ାପଦର, ବିପୁଳିଙ୍ଗି, ଚିକଲଖଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଧାନ ତଳି ପୋଡ଼ି ଯାଇଥିବା କ୍ଷେତ୍ର ପରିଦର୍ଶନ କରିଛନ୍ତି । ସେହିପରି ଗଞ୍ଜାମ ବ୍ଲକର ରାଜପୁର, କାଚରା ଓ କରପଡ଼ା ଗ୍ରାମର ମଧ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଋତୁଚକ୍ରରେ ବ୍ୟାପକ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଘୋର ଅନିୟମିତତା ଦେଖିବାକୁ ମିଳୁଛି । ଶ୍ରାବଣ ମାସରେ ଝଡ଼ି ବର୍ଷା ହେବା ପରିବର୍ତ୍ତେ ବୈଶାଖ ମାସ ଭଳି ଅସହ୍ୟ ଖରାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଗାଁ ଏ ମୁଣ୍ଡରେ ବର୍ଷା ହେଲେ ଶେଷ ମୁଣ୍ଡରେ ବର୍ଷାର ଦେଖା ନାହିଁ । ବର୍ଷାର ଏଭଳି ଲୁଚକାଳି ଖେଳ ଚାଷୀଙ୍କ ପାଇଁ କାଳ ସାଜିଛି । ଦିନକୁ ଦିନ ଧାନ ଚାଷର ପରିସ୍ଥିତି ଗମ୍ଭୀର ଆକାର ଧାରଣ କରିବାରେ ଲାଗିଛି । ନିଶ୍ଚିତ ମରୁଡ଼ି ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି । ବାହାଲ କିସମ ଖାଲୁଆ ଜମିରେ କାଁ ଭାଁ ପାଣି ଥିବା ବେଳେ ମାଳ ଏବଂ ବେର୍ଣ୍ଣା କିସମ ଜମି ଶୁଖିଲା ପଡ଼ିଛି । ରୁଆ ବେଉଷଣ ଆଦି ଚାଷ କାମ ଠପ୍ ହୋଇପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *