ଆଇଆଇଟିରେ ବିଏଡ୍ କୋର୍ସ

ନୂଆଦିଲ୍ଲୀ, ୩୧ା୭: ଇଞ୍ଜିନିୟରିଂ ଓ ମ୍ୟାନେଜ୍ମେଣ୍ଟ ଭଳି ପ୍ରତିଷ୍ଠିତ ପାଠ୍ୟକ୍ରମ ଉପରେ ଆଇଆଇଟି ଏବେ ବିଏଡ୍ (ବ୍ୟାଚ୍ଲର୍ ଅଫ୍ ଏଡୁକେସନ୍) କୋର୍ସ ଆରମ୍ଭ କରିବାକୁ ଯାଉଛି । ଶିକ୍ଷକ ହେବା ପାଇଁ ବିଏଡ୍ ଡିଗ୍ରୀ ଜରୁରୀ । ଆଇଆଇଟିରେ ବିଏଡ୍ କୋର୍ସ ୪ବର୍ଷିଆ ହେବ । ଛାତ୍ରଛାତ୍ରୀଙ୍କୁ ବିଏସ୍ସି-ବିଏଡ୍, ବିଏ-ବିଏଡ୍ ଓ ବିକମ୍-ବିଏଡ୍ ଡିଗ୍ରୀ ପ୍ରଦାନ କରାଯିବ । ଏପରି ଇଣ୍ଟିଗ୍ରେଟେଡ୍ କୋର୍ସ ଆସନ୍ତା ଶିକ୍ଷାବର୍ଷ (୨୦୨୩-୨୪)ରୁ ଦେଶର ନିର୍ଦ୍ଦିଷ୍ଟ କେତେକ ଆଇଆଇଟିରେ ଆରମ୍ଭ ହେବ ।
ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ବିଶେଷ ଢାଞ୍ଚାରେ ପ୍ରସ୍ତୁତ ବିଭିନ୍ନ ପାଠ୍ୟକ୍ରମ ପାଇଁ ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ (ଏନ୍ସିଟିଇ) ପକ୍ଷରୁ ପ୍ରମୁଖ ଶିକ୍ଷା ସଂସ୍ଥାନଗୁଡିକଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଦେଶର ଶହଶହ ଶିକ୍ଷଣ ସଂସ୍ଥା ଆବେଦନ କରିଛନ୍ତି । ଉଲ୍ଲେଖନୀୟ ବିଷୟ ଯେ, ଆବେଦନକାରୀଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଆଇଆଇଟି ମାଡ୍ରାସ, ଆଇଆଇଟି ଖଡଗପୁର, ଆଇଆଇଟି ଗୁଆହାଟୀ ଓ ଆଇଆଇଟି ମଣ୍ଡି ମଧ୍ୟ ଅଛନ୍ତି । ପ୍ରଥମ ଥର ପାଇଁ ଆଇଆଇଟି ବିଏଡ୍ କୋର୍ସ ଆରମ୍ଭ କରିବାକୁ ଅନୁମତି ଲୋଡିଛି ।
ବର୍ତ୍ତମାନ ସମୟରେ ଦେଶରେ ବିଏଡ୍ କଲେଜ ସଂଖ୍ୟା ପ୍ରାୟ ୬୮ଶହ । ସେଥିରୁ ପ୍ରାୟ ୩୫୦ କଲେଜ ସରକାରୀ । ଅବଶିଷ୍ଟ ବିଏଡ୍ କଲେଜଗୁଡିକ ବେସରକାରୀ । ଏନ୍ସିଟିଇ ସୂତ୍ର ଅନୁଯାୟୀ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିକ୍ଷକମାନଙ୍କ ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀ ଦ୍ୱାଦଶ ଶିକ୍ଷା ଶେଷ କରିବା ପରେ ଶିକ୍ଷାଦାନ କ୍ଷେତ୍ରରେ ଯିବାକୁ ଚାହିଁବେ ସେମାନଙ୍କୁ ଉପଯୁକ୍ତ ପ୍ଲାଟ୍ ଫର୍ମ ଯୋଗାଇ ଦିଆଯିବ । ସେମାନଙ୍କ ଷ୍ଟ୍ରିମ୍ ଆଧାରରେ ଏ କ୍ଷେତ୍ରରେ ବିଏଡ୍ କରିବା ସୁଯୋଗ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ ନୂଆ ଶିକ୍ଷାନୀତି ଅନୁଯାୟୀ ୨୦୩୦ ମସିହା ପରେ ସ୍କୁଲ୍ ସ୍ତରରେ ଖାଲି ହେବାକୁ ଥିବା ଶିକ୍ଷକ ପଦ ପାଇଁ କେବଳ ଇଣ୍ଟିଗ୍ରେଟେଡ୍ ବିଏଡ୍ କୋର୍ସ ସାରିଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ଏବେ ଇଣ୍ଟିଗ୍ରେଟେଡ୍ ବିଏଡ୍ କୋର୍ସ ଅଳ୍ପ କେତେକ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷା ସଂସ୍ଥାନରେ ରହିବ । ପରେ ଅବଶିଷ୍ଟ ଶିକ୍ଷା ସଂସ୍ଥାନମାନଙ୍କୁ ଏହି କୋର୍ସ ଚାଲୁ କରିବା ପାଇଁ ମଞ୍ଜୁରୀ ଦିଆଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *