ପାକିସ୍ତାନକୁ ସହଜରେ ହରାଇଲା ଭାରତ
ବର୍ମିଂହାମ୍, ୩୧ା୭ (ଏଜେନ୍ସି): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ମହିଳା ଟି-୨୦ କ୍ରିକେଟ୍ରେ ଭାରତ ନିଜ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ୮ ୱିକେଟ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତର ସେମିଫାଇନାଲ୍ରେ ପ୍ରବେଶ ଆଶା ଉଜ୍ଜୀବିତ ହୋଇଛି ।
ବର୍ଷା ଯୋଗୁଁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା ଏବଂ ମ୍ୟାଚ୍କୁ ୧୮ ଓଭର୍ ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନୀ ଟିମ୍ ୧୮ ଓଭର୍ରେ ମାତ୍ର ୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ମୁନିବା ରାଣା ୩୨, ଅଧିନାୟିକା ବିସ୍ମା ମାରୁଫ୍ ୧୭ ରନ୍ କରିଥିଲେ । ଭାରତ ପକ୍ଷରୁ ସ୍ନେହ ରାଣା ଓ ରାଧା ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଭାରତୀୟ ଟିମ୍ ମାତ୍ର ୨ ୱିକେଟ୍ ହରାଇ ୧୧.୪ ଓଭର୍ରେ ବିଜୟଲକ୍ଷ୍ୟ ହାସଲ କରିଥିଲା । ସ୍ମୃତି ମାନ୍ଧାନା ଦମ୍ଦାର ବ୍ୟାଟିଂ କରି ୪୨ ବଲ୍ରୁ ୬୩ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ତାଙ୍କ ବ୍ୟାଟ୍ରୁ ୮ ଚୌକା ଓ ୩ ଛକା ହୋଇଥିଲା । ଜେମିମା ୨ ରନ୍ କରି ଅପରାଜିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶେଫାଲୀ ବର୍ମା ୯ ବଲ୍ରୁ ୧୬ ଓ ଏସ୍. ମେଘନା ୧୬ ବଲ୍ରୁ ୧୪ ରନ୍ କରିଥିଲେ । ଭାରତୀୟ ଟିମ୍ ନିଜ ପରବର୍ତ୍ତୀ ମ୍ୟାଚ୍ରେ ଅଗଷ୍ଟ ୩ରେ ବାର୍ବାଡୋସ୍କୁ ଭେଟିବ । ହରମନପ୍ରୀତଙ୍କ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା ।